କିସ୍ କରିବି କହି ପତ୍ନୀର ଜିଭ କାଟିଦେଲେ ସ୍ୱାମୀ
ଅହମ୍ମଦାବାଦ: ପତ୍ନୀଙ୍କ ଜିଭକୁ କିସ୍ କରିବାକୁ କହିଲେ ପତି। ଆଉ ପତ୍ନୀ ଜିଭ କାଢ଼ିବା ମାତ୍ରେ ଏକ ଚୁମ୍ବନ ଦେଇ ହଠାତ୍ ଲୁଚାଇ ରଖିଥିବା ଛୁରୀରେ ଜିଭ କାଟିଦେଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ।
୩୬ ବର୍ଷୀୟା ଏହି ମହିଳା ଭେଜାଲପୁର ପୁଲିସ ଷ୍ଟେସନ୍ରେ ଏକ ମାମଲା ଦାୟର କରିବା ପରେ ଏହି ଖବର ଜଣାପଡ଼ିଥିଲା।
ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ପେଶାରେ ଜଣେ ନର୍ସ। ସେ ଅହମ୍ମଦାବାଦ ଜୁହୁପୁରା ଅଞ୍ଚଳରେ ବିବାହ କରିଥିଲେ। କିନ୍ତୁ ବାହାଘରର କିଛି ବର୍ଷ ପରେ ସ୍ୱାମୀଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ ମହିଳା। ସ୍ୱାମୀ ଯେ ପୂର୍ବରୁ ଦୁଇଥର ବିବାହ କରିଛନ୍ତି ଓ ବର୍ତ୍ତମାନ ସେ ତାଙ୍କର ଦ୍ୱିତୀୟ ପତ୍ନୀ ଓ ପୁଅକୁ ରଖିଛନ୍ତି। ଏଥିପାଇଁ ସେ ସ୍ୱାମୀଙ୍କୁ ବାରମ୍ବାର ବିରୋଧ କରୁଥିଲେ। ଖାଲି ବସି ନ ରହି କୌଣସି ଚାକିରି କିମ୍ବା ବ୍ୟବସାୟ କରିବାକୁ ସ୍ୱାମୀଙ୍କୁ କହୁଥିଲେ। ଏଥିରେ ଖୁବ୍ ରାଗିଯାଉଥିଲେ ତାଙ୍କ ସ୍ୱାମୀ। ତାଙ୍କୁ ପିଟାମରା କରିବା ସହିତ ନାନା ନିର୍ଯାତନା ଦେଉଥିଲେ ବୋଲି ମହିଳା ଥାନାରେ ଅଭିଯୋଗ କରିଛନ୍ତି।
କିନ୍ତୁ ଗତ ବୁଧବାର ରାତିରେ ସ୍ୱାମୀ-ସ୍ତ୍ରୀ ଶୋଇଲା ବେଳେ ମହିଳାଙ୍କ ଜିଭକୁ ଚୁମ୍ବନ ଦେବାକୁ କହିଥିଲେ ସ୍ୱାମୀ। ଆଉ ମହିଳା ତାଙ୍କ ଜିଭ କାଢ଼ିବା ମାତ୍ରେ ତାଙ୍କ ସ୍ୱାମୀ ପ୍ରଥମେ ଏକ ଚୁମ୍ବନ ଦେଲେ, ଓ ଲୁଚେଇଥିବା ଏକ ଛୁରୀରେ ମହିଳାଙ୍କ ଜିଭ କାଟିଦେଲେ। ଏହାପରେ ତାଙ୍କୁ ସେଇ ଘରେ ବନ୍ଦ କରି ଫେରାର ହୋଇଗଲେ। ଅନ୍ୟ ଉପାୟ ନପାଇ କ୍ଷତାକ୍ତ ମହିଳା ତାଙ୍କ ଭଉଣୀଙ୍କୁ ଭିଡିଓ କଲ୍ କରି ଜଣାଇଥିଲେ। ଏହାପରେ ତାଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଡାକ୍ତରଖାନାକୁ ନିଆଯାଇଥିଲା।
ତେବେ ବର୍ତ୍ତମାନ ସେ ଆଉ କଥା କହିପାରୁ ନାହାନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ମହିଳା। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।