କରୋନାରେ ଜୀବନ ହାରିଲେ ସ୍ୱାମୀ : ଅସମୟରେ ବୋହୂକୁ ଘରୁ ତଡ଼ିଦେଲେ ଶ୍ୱଶୁର

  • ସୁଖର ସଂସାର ଚୁନା କରିଦେଲା କରୋନା
  • ସଂକ୍ରମିତ ହୋଇ ସ୍ୱାମୀ ଓ ଶାଶୁଙ୍କର ଜୀବନ ଚାଲିଗଲା
  • ବୋହୂକୁ ଘରୁ ତଡିଦେଲେ ଶ୍ୱଶୁର
  • ଏବେ ବାରଦ୍ୱାର ହେଉଛନ୍ତି ମହିଳା   

କାନପୁର : ଜନ୍ମ ଜନ୍ମର ସାଥୀକୁ ନେଇ ଗଲା କରୋନା । ମା’ ପରି ଶାଶୁକୁ ବି ଛାଡ଼ିଲାନି ମହାମାରୀ । କରୋନାରେ ସ୍ୱାମୀ ଓ ଶାଶୁଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଘରୁ ତଡ଼ିଦେଲେ ଶଶୁର । ଅଦୃଶ୍ୟ ଆତଙ୍କରେ ଲୋକେ ଗୃହବନ୍ଦୀ ଥିବା ବେଳେ ମାନବିକତାରେ ବି ତାଲାବନ୍ଦର ପ୍ରଭାବ ପଡ଼ିଛି । ମହିଳା ଜଣକ ଏବେ ବାରଦ୍ୱାର ବୁଲିବା ସହ ତାଙ୍କ  ବିରୁଦ୍ଧରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଶାଶୁଘର ଲୋକ । ଏନେଇ ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାର ତଦନ୍ତ କରୁଛି । ସେପଟେ ଅଭିଯୋଗର ଅନେକ ଦିନ ପରେ ମଧ୍ୟ ମହିଳାଙ୍କୁ ଘରେ ପଶେଇ ଦେଉନାହାନ୍ତି ଶାଶୁଘର ଲୋକ ।

ରାମପୁରମ୍ ଶ୍ୟାମନାଗରର ମହେନ୍ଦ୍ର ଶୁକ୍ଳା ଏପ୍ରିଲ ୨୭, ୨୦୧୮ ରେ ବି-ବ୍ଲକରେ ରହୁଥିବା ବ୍ୟବସାୟୀ ଶିବମ୍ ବାଜପାୟୀଙ୍କ ସହ ଝିଅ ପୁନମର ବିବାହ କରାଇଥିଲେ । ଖୁବ ଧୁମଧାମରେ ହୋଇଥିବା ବିବାହ, ଯାନିଯୌତୁକ ଦେଇ ସାଧ୍ୟମତେ ଝିଅର ବିବାହ କରାଇଥିଲେ । ବିବାହ ପରେ ଖୁବ୍ ଖୁସିରେ ଥିଲା ଝିଅ, ହସଖୁସରେ ସମୟ କଟିଯାଉଥିଲା । ହେଲେ କରୋନା ଆସିବା ପରେ ଗୋଟିଏ ଝଟକାର ଜୀବନର ମୋଡ଼ ବଦଳିଗଲା । କ୍ଷଣିକରେ ସୁନାର ସଂସାର ଚୂନା ହୋଇଗଲା ।

କରୋନା ସଂକ୍ରମିତ ହୋଇ ଏପ୍ରିଲ ୨୩ରେ ଶୁଭମଙ୍କ ଜୀବନ ଚାଲିଗଲା । ଆଉ ସ୍ୱାମୀଙ୍କ ମୃତ୍ୟର କିଛି ଘଣ୍ଟା ପରେ ଶାଶୁ ନିରୂ ବାଜପାୟୀ ମଧ୍ୟ କରୋନରେ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପୁନମ୍ ମା’ ପରି ଶାଶୁଙ୍କ ମୃତ୍ୟୁ ପରେ ଆହୁରି ଏକା ହୋଇଗଲେ । ସେପଟେ ତାଙ୍କ ଦିଅର କରୋନା ସଂକ୍ରମଣ ହୋଇଥିବା କହି ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ହେଲେ ଦିଅରଙ୍କ ଚାଲ ବୁଝି ପାରିନଥିଲେ ପୁନମ୍ ।

ପରେ ମେ ୨୦ ରେ ଘରକୁ ଫେରିବା ପରେ ଶାଶୁଘର ଲୋକେ ପୁନମଙ୍କୁ ଘରେ ପଶିବାକୁ ଦେଲେନି । ବାପା ଓ ଭାଇଙ୍କ ସହ ଆସିଥିବା ପୁନମ୍ ଗେଟ ବାହାରେ ଛିଡ଼ା ହୋଇ ଯେତେ ଡାକିଲେ ବି କେହି ଶୁଣିଲେନି । ଝରକା ଫାଙ୍କରୁ ଧମକ ଦେଇ ଶଶୁର କହିଥିଲେ, ଏଘରେ ତା’ର ଆଉ କେହି ନାହିଁ । ଘଣ୍ଟା ଘଣ୍ଟା ଘର ବାହାରେ ଛିଡ଼ା ହେବା ପରେ ପୁଣି ବାପାଭାଇ ସହ ଘରକୁ ଫେରିଗଲେ ପୁନମ୍ । ଏନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି । ହେଲେ ଅଭିଯୋଗ ପରେ ମଧ୍ୟ ତାଙ୍କୁ ଘରେ ଭର୍ତ୍ତି କରିନଥିଲେ ଶାଶୁଘର ଲୋକ । ଘର ଥାଇ ମଧ୍ୟ ଏବେ ପୁନମ୍ ବାରଦ୍ୱାର ବୁଲୁଛନ୍ତି ।

You might also like