ହରିୟାଣାରେ ଏଥର ଝୁଲା ବିଧାନସଭା

ନୂଆଦିଲ୍ଲୀ: ହରିୟାଣାରେ ଦ୍ୱିତୀୟ ଥର କ୍ଷମତା ଦଖଲ ପାଇଁ ଯୋଜନା କରିଥିବା ବିଜେପିର ବିଜୟ ରଥ ଅଟକି ଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୫ଟି ଆସନ ଜିତିବି ବୋଲି ସ୍ୱପ୍ନ ଦେଖୁଥିବା ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଦଳ ୪୦ଟି ଆସନ ଜିତି ପାରିଛି। ତେବେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୫।

ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଓ ଅନ୍ୟାନ୍ୟ ଦଳକୁ ୧୯ଟି ଆସନ ମିଳିଛି। ଏହି ଅନ୍ୟାନ୍ୟ ଦଳଙ୍କ ମଧ୍ୟରେ ସବୁଠାରୁ ଅଧିକ ଆସନ ୧୦ ମାସ ତଳେ ଗଠିତ ହୋଇଥିବା ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପିକୁ ମିଳିଛି। ଏଠାରେ ଦଳ ୧୦ଟି ଆସନ ଜିତିଛି।

ତେଣୁ ଜେଜେପି ହିଁ ହରିୟାଣାରେ କିଙ୍ଗ ମେକର ହେବ। ଅନ୍ୟପକ୍ଷରେ ସରକାର ଗଠନ କରିବାକୁ ବ୍ୟାକୁଳ ଥିବା ବିଜେପି ଆଜି ସନ୍ଧ୍ୟାରେ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଚେଷ୍ଟା କରିଛି। ଏଥିପାଇଁ ଉକ୍ତ ବିଧାୟକଙ୍କୁ ବିମାନ ଯୋଗେ ଦିଲ୍ଲୀ ନେଇଯାଇଥିବା ଜଣାପଡ଼ିଛି। ସେହିପରି ମୁଖ୍ୟମନ୍ତ୍ର ମନହୋର ଲାଲ ଖଟ୍ଟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।

ହରିଆଣାରେ ବିଜେପି ‘ଅବ୍ କୀ ବାର ୭୫ ପାର୍ ନାରା ଦେଇ ନିର୍ବାଚନ ଲଢ଼ୁଥିଲା। ଅଧିକାଂଶ ଏକଜିଟ୍ ପୋଲ ମଧ୍ୟ ଖଟ୍ଟର ସରକାର ପୁଣିଥରେ ସରକାର ଗଠନ କରିବେ ବୋଲି କହିଥିଲେ। ହେଲେ ଫଳାଫଳ ବାହାରିବା ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା।

ବିଜେପି ୭୫ଟି ଆସନ ବଦଳରେ ମାତ୍ର ୪୦ଟିରେ ସୀମିତ ରହିଥିଲା। ଗତଥର ବିଜେପିର ଏଠାରେ ୪୭ଟି ଆସନ ଜିତିଥିଲା। ଏଥର ଦଳ ୭୫ଟି ଆସନ ଜିତିବ ବୋଲି ଆଶା କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ବିଭିନ୍ନ ସ୍ଥାନରେ ସାତ ସାତଟି ରାଲି ମଧ୍ୟ କରିଥିଲେ। ହେଲେ ଦଳର ଆସନ ସଂଖ୍ୟା ବଢ଼ିବା ପରିବର୍ତ୍ତେ ୪୦କୁ ଖସି ଆସିଛି।

ଅନ୍ୟପକ୍ଷରେ ପ୍ରଚାର ବେଳେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ରରୂପ ଧାରଣ କରିଥିଲେ ମଧ୍ୟ ଦଳର ଆସନ ସଂଖ୍ୟା ୧୫ରୁ ୩୧କୁ ବଢ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଆଣିଛି ଓମ୍ ପ୍ରକାଶ ଚୌଟାଲାଙ୍କ ଆଇଏନଏଲଡିରୁ ଅଲଗା ହୋଇ ମାତ୍ର ୧୦ ମାସ ତଳେ ଗଠନ ହୋଇଥିବା ତାଙ୍କ ନାତି ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି)। ନିଜ ଡେବ୍ୟୁ ଇଲେକସନରେ ୧୦ଟି ସିଟରେ ଜେଜେପି ବାଜିମାତ୍ କରିଛି। ଆଇଏନଏଲଡି ଗୋଟିଏ ଆସନ ଜିତିଥିବା ବେଳେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳଙ୍କ ସପକ୍ଷରେ ୮ଟି ଆସନ ଯାଇଛି।

ଜନତାଙ୍କ ଏଭଳି ମିଶ୍ରିତ ରାୟ ପରେ ସରକାର ଗଠନ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଉଭୟଙ୍କ ନଜର ଏବେ ଜେଜେପି ଉପରେ ରହିଛି। ଫଳାଫଳ ପ୍ରକାଶ ପରେ ଦୁଷ୍ୟନ୍ତ କିଙ୍ଗମେକର ସାଜିଛନ୍ତି। କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ମିଳିମିଶି ସରକାର ଗଢ଼ିବାକୁ ଜେଜେପି ଓ ଆଇଏନଏଲଡିକୁ ଅପିଲ୍ କରିଛନ୍ତି। ବିଜେପି ମଧ୍ୟ କୌଣସି ମତେ ଜେଜେପିର ସମର୍ଥନ ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି।

ଏପରିକି ଦୁଷ୍ୟନ୍ତଙ୍କୁ ଏଦିଗରେ ମନେଇବା ଲାଗି ଦଳ ସହଯୋଗୀ ଅକାଳି ମୁଖ୍ୟ ପ୍ରକାଶ ସିଂହ ବାଦଲଙ୍କୁ ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଆସନ୍ତାକାଲି ଜେଜେପି ବିଧାୟକ ଦଳ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ଦୁଷ୍ୟନ୍ତ କହିଛନ୍ତି।

You might also like