ଦିଲ୍ଲୀରେ ବଢ଼ିଲା ବାର୍ଡ ଫ୍ଲୁ ଭୟ, ବିଭିନ୍ନ ଅଞ୍ଚଳରେ କାଉ ମଡ଼କ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ ବାର୍ଡ ଫ୍ଲୁ ଭୟ ଦେଖାଦେଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଦିଲ୍ଲୀର ମୟୂରବିହାର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ପାର୍କରେ ୨ ଶହରୁ ଅଧିକ କାଉ ମରିପଡ଼ିଥିବା ଦେଖବାକୁ ମିଳିଛି।

ତେବେ କେଉଁ କାରଣ ପାଇଁ କାଉମାନଙ୍କର ମୃତ୍ୟୁ ଘଟିଛି,ତା’ର କାରଣ ଜଣାପଡ଼ିନାହିଁ। ମଲା କାଉଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇ ପଞ୍ଜାବ ଜଳନ୍ଧରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। କାଉ ମଡ଼କ ପରେ ପର୍ଯ୍ୟଟକ ପାଇଁ ସେଣ୍ଟ୍ରାଲ ପାର୍କକୁ ବନ୍ଦ କରି ଦିଆଯିବା ସହ ପାର୍କ ପରିସରକୁ ସାନିଟାଇଜ୍ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କାଉ ମଡ଼କକୁ ନେଇ ଦିଲ୍ଲୀରେ ଚିନ୍ତା ବଢ଼ିଛି।

ଅନ୍ୟପକ୍ଷରେ, ଓଡ଼ିଶାରେ ଏଯାଏ ବାର୍ଡ ଫ୍ଲୁ ର କୌଣସି ସୂଚନା ନାହିଁ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି। ଏଯାଏ ପରୀକ୍ଷା ହୋଇଥିବା ୧୨ ହଜାର ୧୫୮ଟି ନମୁନାରେ ବାର୍ଡ ଫ୍ଲୁ ଲକ୍ଷଣ ନାହିଁ ବୋଲି କହିଛି ବିଭାଗ। ତାସହ ଅଧତ୍କ ପରୀକ୍ଷା ନିରୀକ୍ଷା ପାଇଁ ନମୁନା ଗୁଡ଼ିକୁ କୋଲକାତା ପଠାଯାଇଛି। ସେହିପରି ନିଜ ଅଞ୍ଚଳରେ ପକ୍ଷୀ ମଡ଼କ ଦେଖାଗଲେ ତୁରନ୍ତ ସ୍ଥାନୀୟ ପ୍ରାଣୀ ଚିକିତ୍ସକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧତ୍କାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

ବାର୍ଡ ଫ୍ଲୁ ସମ୍ପର୍କରେ ଜଣାଇବା ପାଇଁ ୨ଟି ଫୋନ୍‌ ନମ୍ବର ଜାରି କରାଯାଇଛି। ଦେଶର ୫ରୁ ଅଧିକ ରାଜ୍ୟରେ ବାର୍ଡ ଫ୍ଲୁ ଲକ୍ଷଣ ଦେଖାଯିବା ସହ ପକ୍ଷୀ ମଡ଼କ ସାମ୍ନାକୁ ଆସିବା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ପଢ଼ନ୍ତୁ: ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ କମିଲା ଚିକେନ୍ ଦର

You might also like