ଭାରତରେ କେତେ ଗଚ୍ଛିତ ରହିଛି ହାଇଡ୍ରୋକ୍ସି କ୍ଲୋରୋକୁଇନ?

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଶରେ ବହୁ ପରିମାଣର ଗଛିତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ଆବଶ୍ୟକ ରହିଛି ହେଲେ ଆମ ଦେଶରେ ଏବେ ୩.୨୮ କୋଟି ଟାବଲେଟ ମହଜୁଦ୍ ଅଛି।

ଯଦି ମାସକ ପାଇଁ ଆକଳନ କରାଯାଏ, ତା ହେଲେ ଦେଶ ପାଇଁ ୧.୬ କୋଟି ଟାବଲେଟ୍ ଆବଶ୍ୟକ ହେବ। ଦେଶରେ ତାଠାରୁ ବି ଅଧିକ ଟାବଲେଟ୍ ରହିଛି। ଏହାଛଡ଼ା ବିଭିନ୍ନ ସଂସ୍ଥାକୁ କହି ୨ରୁ ୩ କୋଟି ଟାବଲେଟ ଅତିରିକ୍ତ ପରିମାଣରେ ରଖାଯାଇଛି। ଏଣୁ ଏହାକୁ ନେଇ କେହି ଦ୍ୱନ୍ଦରେ ନ ରହିବାକୁ ସେ କହିଛନ୍ତି।

ସେହିପରି କରୋନା ନିୟନ୍ତ୍ରଣ ସଂପର୍କରେ ବୈଦେଶିକ ବ୍ୟାପାର ବିଭାଗ କହିଛି ଯେ, ବିଭିନ୍ନ ଦେଶ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ମାଗିଛନ୍ତି। ସରକାର ଏନେଇ ନିଷ୍ପତ୍ତି ନେଉଛନ୍ତି ତେବେ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଦାମୁ ରବି କହିଛନ୍ତି।

ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏବେ ବି କ୍ଷେତ୍ରୀୟସ୍ତରରେ ସଂକ୍ରମଣ ରହିଛି। ତେବେ ସାବଧାନ ରହିବା ଦରକାର ବୋଲି ଲବ୍ ଅଗ୍ରଓ୍ୱାଲ କହିଛନ୍ତି।

You might also like