ଅପରେସନ ବାଗ୍‌ଦାଦି: ମାତ୍ର ୪୦ ଘଣ୍ଟା ପୂର୍ବରୁ ହୋଇଥିଲା ଯୋଜନା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ଖେଳ ଖତମ ହୋଇଛି। ଆମେରିକା ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଅପରେସନ ବାଗଦାଦିକୁ ସଫଳତା ଦେବା ପାଇଁ ବଛାବଛା କମାଣ୍ଡୋମାନେ ସରିଆର ଇଦଲିବକୁ ଯାଇଥିଲେ। ତେବେ ଦୀର୍ଘ ୬ ହଜାର କିମି ବାଟ ଯାଇ ସଫଳତା ପୂର୍ବକ ବାଗଦାଦି ଭଳି ଜଣେ କୁଖ୍ୟାତ ଆତଙ୍କୀଙ୍କୁ ହତ୍ୟା କରିବା ପାଇଁ ଆମେରିକା ୪୮ ଘଣ୍ଟା ପୂର୍ବରୁ ହିଁ ସବୁ ଯୋଜନା କରିଥିଲା।

ଏହି ଅପରେସନର ନାଁ ‘କାୟଲା ମୁଲେର’ ରଖାଯାଇଥିଲା। କାୟାଲା ମୁଲେର ହେଉଛନ୍ତି ଆମେରିକାର ଜଣେ ମାନବାଧିକାର କର୍ମୀ। ତାଙ୍କୁ ଆଇଏସ ଆତଙ୍କବାଦୀମାନେ ଅପହରଣ କରିବା ପରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରିଥିଲେ। ତେଣୁ ବାଗଦାଦି ମୃତ୍ୟୁ ପାଇଁ କରାଯାଇଥିବା ଅପରେସନର ନାଁ କାୟଲା ମୁଲେର ରଖାଯାଇଥିଲା।

ପୂରା ଅପରେସନକୁ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ବସି ଦେଖିଥିଲେ। ଏଥିପାଇଁ ସେ ଆମେରିକା ସମୟ ସନ୍ଧ୍ୟା ୫ଟାରେ ହ୍ୱାଇଟ୍‌ ହାଉସ୍‌ର ୱାର ରୁମରେ ପ୍ରବେଶ କରିଥିଲେ। ତାଙ୍କ ସହ ଉପ ରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ସଚିବ ମାର୍କ ଇସପେର, ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଇନ୍, ଆର୍ମି ଜେନେରାଲ ମାର୍କ ମିଲ୍ଲେ ଓ ବାୟୁସେନା ମୁଖ୍ୟ ସ୍କଟ ହାୱେଲ ରହିଥିଲେ। ଅପରେସନ ବେଳେ ଏମିତି ଏକ କ୍ୟାମେରାର ବ୍ୟବହାର ହୋଇଥିଲା ଯେ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଫିଲ୍ମ ଦେଖିବା ଭଳି ପୂରା ଘଟଣାର ଦୃଶ୍ୟ ଉପରେ ନଜର ରଖିଥିଲେ।

ପ୍ରଥମେ ୮ଟି ହେଲିକପ୍ଟର ନର୍ଥନ ଇରାକର ଏୟାର ବେସ୍‌ରୁ କମାଣ୍ଡୋମାନଙ୍କୁ ଧରି ଉଡ଼ାଣ ଭରିଥିଲା। ଏହାକୁ ବ୍ୟାକଅପ୍‌ ଦେବାକୁ ଏକାଧିକ ଏୟାର ବେସ୍‌ରେ ଯୁଦ୍ଧ ବିମାନ ଗୁଡ଼ିକ ଆଲର୍ଟରେ ରହିଥିଲେ। ସିରିଆ ଯାଇଥିବା ହେଲିକପ୍ଟରଗୁଡ଼ିକ ମଧ୍ୟରେ ସିଏଚ୍‌-୪୭ ଭଳି ହେଲିକପ୍ଟର ରହିଥିଲା।

ଏଗୁଡ଼ିକ ମଧ୍ୟପ୍ରାଚ୍ୟ ଦେଶର ଆକାଶ ଦେଇ ସିରିଆ ଅଭିମୁଖେ ଯାଇଥିଲା। ବିମାନଗୁଡ଼ିକ ଇରାକ, ତୁର୍କୀ ଓ ରୁଷର ଆକାଶ ପଥ ବ୍ୟବହାର କରୁଥିବାରୁ ସେମାନଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆମେରିକାର ଅଧିକାରୀମାନେ କଥା ହୋଇଥିଲେ। ହେଲେ ଅପରେସନ ବାବଦରେ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା।

ଆମେରିକା ଯବାନମାନେ ବାଗଦାଦି ରହୁଥିବା ଘରେ ପ୍ରଥମେ ବିସ୍ଫୋରଣ କରି ହୋଲ ସୃଷ୍ଟି କରିଥିଲେ। ଏହା ଦେଖି ବାଗଦାଦି ନିକଟରେ ଥିବା ଅନ୍ଧାରିଆ ଗୁମ୍ଫା ମଧ୍ୟକୁ ଚାଲି ଯାଇଥିଲା। ବାଗଦାଦି ନିଜ ସହ ନିଜର ୩ଟି ଯାକ ପିଲାଙ୍କୁ ମଧ୍ୟ ତା’ ମଧ୍ୟକୁ ନେଇ ଯାଇଥିଲା। ବାଗଦାଦିର ପିଛା କରି ପ୍ରଥମେ  ଆମେରିକାର ସନ୍ଧାନୀ କୁକୁର ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲା।

ଏହା ଦେଖି ବାଗଦାଦି ଡରି ଯାଇଥିଲା। ଏହାପରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଫଳରେ ଆମେରିକାର ସନ୍ଧାନୀ କୁକୁର ଓ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ।

ତେବେ ଏହାପୂର୍ବରୁ ବାଗଦାଦିକୁ ଗୁମ୍ଫା ମଧ୍ୟରୁ ବାହାରି ଆସିବାକୁ ଆମେରିକାର ଯବାନମାନେ ପରାମର୍ଶ ଦେଇଥିଲେ। ହେଲେ ଏଥିରେ ସେ ସହଯୋଗ କରି ନଥିଲା। ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇବା ପରେ ଆମେରିକା ସେନାମାନେ ମଧ୍ୟ ଗୁମ୍ଫାଟିକୁ ଉଡ଼ାଇ ଦେଇଥିଲେ। କେବଳ ବାଗଦାଦି ନୁହେଁ ଏହି ଅପରେସନରେ ଏକାଧିକ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିଲେ।

You might also like