ଏତେ ସତର୍କ ପରେ ବି ସମୁଦ୍ରରେ କେମିତି ଫସିଲେ କର୍ମଚାରୀ?

କର୍ମଚାରୀଙ୍କୁ ଖୋଜୁଛି ଜାହାଜ

ନୂଆଦିଲ୍ଲୀ: ସମୁଦ୍ରରେ ସେନାର ମେଗା ସର୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ ଲାଗି ଅହରହ ଉଦ୍ୟମ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ମାଳମାଳ ଯୁଦ୍ଧ ଜାହାଜ। ଏହି ଅଘଟଣରେ ଏଯାଏଁ ୩୭ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୩୮ ଜଣ ନିଖୋଜ ଅଛନ୍ତି। ସେହିପରି ୧୮୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ତୈଳ ଉତ୍ତୋଳନ ଓ ଖନନ କାର୍ଯ୍ୟରେ ନିୟୋଜିତ ୪ଶହରୁ ଅଧିକ ଲୋକ ସୌଭାଗ୍ୟବଶତଃ ପ୍ରକୃତିର କରାଳକାୟା ମଧ୍ୟରୁ ଅଳ୍ପକେ ରକ୍ଷା ପାଇଛନ୍ତି।

ଅଥଳ ସମୁଦ୍ରରୁ ଜୀବନ ଖୋଜି ପାଇବାର ଆଶା। ଦିନ ରାତି କାମରେ ଲାଗିଛନ୍ତି ଭାରତୀୟ ନୌସେନାର ମାଳମାଳ ଯୁଦ୍ଧପୋତ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡିଯାଇଥିବା ଭାସମାନ ଆଶ୍ରୟସ୍ଥଳ ବାର୍ଜ P-305ରେ ଥିବା ONGC କର୍ମଚାରୀଙ୍କୁ ଠାବ କରିବା ଲାଗି ଜାରି ରହିଛି ପ୍ରୟାସ। ବାତ୍ୟା ଆସିବା ସମୟରେ ଏହି ବାର୍ଜରେ ୨୬୧ ଜଣ କର୍ମଚାରୀ ଥିଲେ, ତେବେ ଝଡ଼ ପ୍ରଭାବରେ ଏହା ମୁମ୍ବାଇଠାରୁ ୩୫ ନଟିକାଲ ମାଇଲସ ଦୂରରେ ବୁଡି ଯାଇଥିଲା। ତେବେ ସୂଚନା ପାଇଁ ଏଥିରେ ଥିବା କର୍ମଚାରୀଙ୍କୁ ଉଦ୍ଧାର ଲାଗି ଅଶାନ୍ତ ସମୁଦ୍ରରେ ଅପରେସନ ଆରମ୍ଭ କରିଥିଲା ନୌସେନା।

ଏହି ଦୁଃସାହସିକ ରେସ୍କ୍ୟୁ ଅପରେସନରେ ୧୮୬ ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ନୌସୈନିକ। ତେବେ ଅନ୍ୟମାନଙ୍କ ପତ୍ତା ମିଳିନଥିଲା। ସେମାନଙ୍କୁ ଠାବ ଲାଗି ଦିନରାତି ଅପରେସନ ଜାରି ରହିଛି। ଏଯାଏଁ ୩୭ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆଉ ୩୮ ଜଣଙ୍କୁ ଠାବ କରିବା ଲାଗି ପ୍ରୟାସ ଚାଲିଛି।

ଭାରତୀୟ ନୌସେନାର ଦୁଇ ଯୁଦ୍ଧପୋତ ଆଇଏନ୍ଏସ୍ କୋଚି ଓ ଆଏନଏସ୍ କୋଲକାତା ସହାୟତାରେ ଉଦ୍ଧାର କର୍ମଚାରୀ ଓ ମୃତଦେହକୁ ଉପକୂଳକୁ ଅଣାଯାଇଛି। ଏହା ପରେ ଏହି ଯୁଦ୍ଧପୋତ ଆଇଏନ୍ଏସ୍ ବ୍ୟାସ, ଆଆଏନ୍ଏସ୍ ବେଟଓ୍ୱା ଓ ଆଇଏନଏସ ଟେଗ୍ ଏବଂ ଅନ୍ୟ ବୋଟ୍ ଉଦ୍ଧାର କାମରେ ସହାୟତା କରିବା ଲାଗି ପୁଣି ଗଭୀର ସମୁଦ୍ରକୁ ଯାଇଛନ୍ତି। ସେପଟେ ଉଦ୍ଧାର ପାଇଯାଇଥିବା କର୍ମଚାରୀ ସେମାନଙ୍କ ଛାତିଥରା ଅନୁଭୂତି ବର୍ଣ୍ଣନା କରିଛନ୍ତି ନୌସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ସେମାନଙ୍କ ଜୀବନ ବଞ୍ଚି ଯାଇଥିବା ଏହି କର୍ମଚାରୀମାନେ କହିଛନ୍ତି।

କେବଳ ବାର୍ଜ P-305 ନୁହେଁ ଝଡ଼ ଯୋଗୁଁ ତୈଳ ଖନନ କାର୍ଯ୍ୟରେ ନିୟୋଜିତ ଅନେକ ବୋଟ୍ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା କର୍ମଚାରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି। ତେବେ ସାମୁଦ୍ରିକ ଝଡ଼କୁ ଦେଖି ଉପକୂଳରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏହି କର୍ମଚାରୀମାନେ କିଭଳି ସମୁଦ୍ରରେ ରହିଲେ ତାଙ୍କୁ ନେଇ ଉଠିଛି ପ୍ରଶ୍ନ। କେନ୍ଦ୍ର ଜାହାଜ ଚଳାଚଳ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ବାର୍ଜ P-305 ନୁହେଁ ଝଡ଼ରେ ଫସି ଯାଇଥିଲେ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆର କନ୍ଷ୍ଟ୍ରକ୍ଟର ଓ ସପୋର୍ଟ ଷ୍ଟେସନ- ଥ୍ରୀ ONGC ଲାଗି କାମ କରୁଥିବା ଆଫ୍କନ୍ସ। ଇଂଜିନିୟରିଂ ସଂସ୍ଥା ଦ୍ୱାର ଏମାନଙ୍କୁ ସମୁଦ୍ରରେ ମୁତୟନ କରାଯାଇଥିଲା। ତେବେ କନଷ୍ଟ୍ରକଟର୍ ବୋଟ୍ ଝଡ଼ରେ ଠେଲି ହୋଇ ଅଗଭୀର ସ୍ଥାନରେ ଲାଗି ଯାଇଥିଲା। ଏଥିରେ ଥିବା ୧୩୭ ଜଣଙ୍କୁ କୋଷ୍ଟ ଗାର୍ଡ ସୁରକ୍ଷିତ ଉଦ୍ଧାର କରିଛି। ସେହିପରି ପ୍ରବଳ ଝଡ଼ ଯୋଗୁଁ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ସପୋର୍ଟ ଷ୍ଟେସନକୁ ବି ଠାବ କରାଯାଇଛି। INS ତଲଓ୍ୱାର ଏହାକୁ ମୁମ୍ବାଇ ହାଇ ଅଏଲ ଫିଲ୍ଡ ନିକଟରେ ଠାବ କରିଛି।

ଏଥିରେ ଥିବା ସମସ୍ତ ୨୦୧ ଜଣ ସୁରକ୍ଷିତ ଅଛନ୍ତି। ଅନ୍ୟ ବୋଟ୍ ସହାୟତାରେ ଏହାକୁ ମୁମ୍ବାଇ ଉପକୁଳକୁ ଅଣାଯାଉଛି। ONGCର ଅଏଲ ଡ୍ରିଲର୍ ସାଗର ଭୂଷଣ ମଧ୍ୟ ଝଡ଼ ଯୋଗୁଁ ସମୁଦ୍ର ମଧ୍ୟକୁ ଟାଣି ହୋଇଯାଇଥିଲା ତେବେ ଏହାକୁ ମଧ୍ୟ ଠାବ କରାଯାଇଛି ଏବଂ ଏଥିରେ ଥିବା ୧୦୧ ଜଣଙ୍କର କୌଣସି କ୍ଷତି ହୋଇନାହିଁ। ଏହାକୁ ଉପକୂଳକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି। କୋଷ୍ଟଗାର୍ଡର ସୂଚନା ଅନୁସାରେ ଆଉ ଏକ ଟଗ୍ ବୋଟ୍ ସଂଗୀତା ମଧ୍ୟ ଝଡ଼ଯୋଗୁଁ ନିଖୋଜ ହୋଇଯାଇଥିଲା। ଏହା ମହାରାଷ୍ଟ୍ରର ତାରାପୁର ନିକଟରେ ରହିଛି ଏବଂ ଏଥିରେ ଥିବା ୧୦ ଜଣ ଜାହାଜ କର୍ମଚାରୀଙ୍କୁ ଖାଦ୍ୟ, ପାନୀୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା କହିଛି କୋଷ୍ଟଗାର୍ଡ। ଜାହାଜ ଗୁଡିକୁ ପଣ୍ୟ ଯୋଗାଉଥିବା ଓ ଟଗ୍ ବୋଟ୍ ଭାବେ ବ୍ୟବହୃତ ଅଦିତି ମଧ୍ୟ ଗୁଜରାଟ ଉପକୂଳଠାରୁ ୧୫ରୁ ୨୦ ନଟିକାଲ ମାଇଲ ଦୂରରେ ଫସି ରହିଛି ନୌସେନାର ଆଇଏନ୍ଏସ୍ ତଲଓ୍ୱାର ଏହା ନିକଟକୁ ଯାଇଛି।

ଜାହାଜ ଚଳାଚଳ ବିଭାଗ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ଝଡ଼କୁ ଦେଖି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ କର୍ମଚାରୀମାନେ ସମୁଦ୍ରରେ ରହିଲେ ତାର ଯାଞ୍ଚ ଲାଗି କୁହାଯାଇଛି। ସେହିପରି ମୁମ୍ବାଇ ପୋଲିସ ମଧ୍ୟ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନଓ୍ୱାବ୍ ମଲ୍ଲିକ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସେ ONGC ଆଡ଼କୁ ବି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମଧ୍ୟ ଏହାର ଜବାବ ଦେବା ଦରକାର ବୋଲି ନଓ୍ୱାବ୍ କହିଛନ୍ତି।

You might also like