୩ ଘଣ୍ଟାର ବର୍ଷାରେ ବେହାଲ ଦିଲ୍ଲୀ; ଚାହୁଁ ଚାହୁଁ ଭୁଶୁଡ଼ିଲା ଘର, ଜୀବନ ବି ଗଲା

ନୂଆଦିଲ୍ଲୀ: ବର୍ଷା ଜଳରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ ଅବିରତ ବର୍ଷା ରାଗି ରହିବା ଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଷ୍ଟେସନ ନିକଟରେ ଥିବା ମିଣ୍ଟୋ ବ୍ରିଜ ତଳେ ଏକ ଚଳନ୍ତା ବସ୍ ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ିଯିବାରୁ ବସର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଓଭର ହେଡ୍ ସିଡ଼ି ଯୋଗେ ଯାତ୍ରୀମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି। ମିଣ୍ଟୋ ବ୍ରିଜ୍ ଅଞ୍ଚଳରେ ମୁଖ୍ୟ ରାସ୍ତାରେ ୭-୮ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବା ବହୁ ଯାନବାହନ ବୁଡ଼ି ଯାଇଛି।

ସେହିଭଳି ଆନ୍ନା ନଗର ଅଞ୍ଚଳରେ ବର୍ଷା ପାଣି ସୁଅରେ ଏକ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳୁଛି। ପାଣିର ପ୍ରଖର ସୁଅ ଭିତରେ ଘରଟି ଧସିଯିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଛି। ତେବେ ଏହି ଘଟଣାରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ବର୍ଷାରେ ଭୁଶୁଡ଼ିଯିବା ସମୟରେ ଘେର କେହି ନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

 

ଗତକାଲିଠୁ ଦିଲ୍ଲୀ ଓ ଏନ୍ସିଆର୍‌ରେ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ମହାନଗରୀରେ ଯାନବାହନ ଚଳାଚଳ ଓ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବଡ ବଡ଼ ଭିଆଇପିଙ୍କ ସହର ଦେଶର ରାଜଧାନୀ ଦିଲ୍ଲୀରେ ବର୍ଷା ହେବାରୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ସମାଲୋଚନା କରାଯିବା ସହିତ ବର୍ଷା ତାଣ୍ଡବର ଭିଡିଓ ମଧ୍ୟ ଶେୟାର କରାଯାଉଛି।

 

You might also like