ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ପାଇଁ ସାରା ବିଶ୍ୱରେ ଆତଙ୍କ । କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ସ୍ୱରୂପ ଡେଲଟା ଭାରିଏଣ୍ଟ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନୂଆ ଭାରିଏଣ୍ଟ ଭୟରେ ଅନେକ ଦେଶରେ ଲଗାଯାଇଥିବା ପ୍ରତିବନ୍ଧକକୁ କଡାକଡି କରାଯାଇଛି । ଅନେକ ସ୍ଥାନରେ ଲକଡାଉନ୍ ହଟାଇବା ଯୋଜନା ସ୍ଥଗିତ ରଖାଯାଇଛି । କରୋନା ଚେନ୍ ଭାଙ୍ଗିବାକୁ ବିଭିନ୍ନ ଦେଶରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି ।

ଡେଲଟା ଭାରିଏଣ୍ଟ୍ ପାଇଁ ଲକଡାଉନ୍ ବଢ଼ାଇବାକୁ ବିଚାର କରୁଛନ୍ତି ବ୍ରିଟେନ୍ ସରକାର । ଦେଶରେ ଡେଲଟା ଭାଇରସ୍ ପାଇଁଲଗାତାର ସଂକ୍ରମଣ ବୃଦ୍ଧି ପାଉଛି । ଫଳରେ ୨୧ ଜୁନ ପରେ ମଧ୍ୟ ସମସ୍ତ ଲକଡାଉନ୍ କଟକଣା ଆଉ ଚାରି ସପ୍ତାହ ବଢ଼ାଇବା ପାଇଁ ବିଚାର କରୁଛନ୍ତି ସରକାର । ବ୍ରିଟେନରେ ଫେବୃଆରୀ ପରେ ୨୪ ଘଣ୍ଟାରେ କରୋନାର ସବୁଠାରୁ ଅଧିମ ମାମଲା ଚିହ୍ନଟ ହୋଇଛି । ଡେଲଟା ଭାରିଏଣ୍ଟ୍ (B1.617.2) ପାଇଁ ଏକ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରୁ ୪୨,୩୨୩ କୁ ବୃଦ୍ଧି ପାଇଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।  ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାର ତାଜା ତଥ୍ୟ ଉପରେ ବିଚାର କରୁଛନ୍ତି। ସୋମବାର ଲକଡାଉନ୍ ସମ୍ପର୍କରେ ଘୋଷଣା କରିବାର ଅନେକ ସମ୍ଭାବନା ରହିଛି ।

ସେହିପରି କରୋନାର ଡେଲଟା ଭାରିଏଣ୍ଟ୍ ଚିହ୍ନଟ ହେବାପରେ ଜୁନ ୧୨ରେ ହୁରୁଙ୍ଗୱେ ଓ କାରିବା ଜିଲ୍ଲାରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି ଜିମ୍ବାୱେ  ସରକାର। ଗତ ତିନି ଦିନ ମଧ୍ୟରେ ୪୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ ।  National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।  କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ । ଡେଲଟା ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସଂକ୍ରମଣର ସଂଖ୍ୟା ଅଧିକ। ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି ହେବା, ହସ୍ପିଟାଲରେ ଭର୍ତ୍ତି ନହେବା କିମ୍ବା ଅମ୍ଳଜାନ ଉପଲବ୍ଧତା ଅଭାବ ଭାଇରସ୍ ବ୍ୟାପିବାର କାରଣ ହୋଇପାରେ ବୋଲି କୁହାଯାଇଛି ।

Other Stories