କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ? କୋର୍ଟଙ୍କୁ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ । ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ନେଇ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ କହିଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ବାତିଲ ନିଷ୍ପତ୍ତିକୁ କୋର୍ଟ ସ୍ୱାଗତ କରିଛନ୍ତି । ତେବେ କେଉଁ ଉପାୟରେ ମାର୍କ ଦିଆଯିବ ଓ ଭବିଷ୍ୟତରେ ଏସଂପର୍କିତ ବିବାଦକୁ ଏଡାଇବା ଲାଗି ମୂଲ୍ୟାୟନ ପଦ୍ଧତି ସଂପର୍କରେ କୋର୍ଟଙ୍କୁ ସମସ୍ତ ସୂଚନା ଦିଆଯିବା ଦରକାର ବୋଲି କହଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଗତ ୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ଲାଗି ନିଷ୍ପତ୍ତି ହୋଇଥିଲା । ଏହାପରେ ଆଇସିଏସଇ ଓ ଅନ୍ୟ କିଛି ରାଜ୍ୟର ବୋର୍ଡ ମଧ୍ୟ ପରୀକ୍ଷା ବାତିଲ ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ଅବସରରେ ତୁମେମାନେ ଦେଶକୁ ନୂଆ ସ୍ତରକୁ ନେବ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅନଲଇନ ବୈଠକରେ ପ୍ରଧାନମନ୍ତ୍ରୀ ହଠାତ୍ ଯୋଗ ଦେଇଥିଲେ । ଯାହା ଉଭୟ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରୀକ୍ଷା ବାତିଲ ଯୋଗୁଁ ମିଳିବାକୁ ଥିବା ସମୟର ସଦୂପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୂର୍ବରୁ ପରୀକ୍ଷା ବାତିଲ ନିଷ୍ପତ୍ତି ପାଇଁ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

You might also like