ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ଫସିଗଲେ ମେଡିକାଲ ଷ୍ଟାଫ୍‌

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ଅଭିନେତା ତଥା ରାଜନେତା ନନ୍ଦାମୁରୀ ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ବିଦା ହେଲେ ମେଡିକାଲ ଷ୍ଟାଫ୍‌। ସେଲ୍ଫି ନେଇଥିବା ୪ ଜଣ ସଦସ୍ୟଙ୍କୁ କେମିନେନୀ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବରଖାସ୍ତ କରିଛନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ଯୋଗୁ ହରିକ୍ରୀଷ୍ଣାଙ୍କ ବୁଧବାର ଦେହାନ୍ତ ହୋଇଥିଲା।

ହରିକ୍ରୀଷ୍ଣା ତାଙ୍କର ଜଣେ ଫ୍ୟାନ୍‌ଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନେଲୋରକୁ ଯାଉଥିଲେ। ଏହି ସମୟରେ କାର୍‌ଟି ଭାରାସାମ୍ୟ ହରାଇ ନାଲଗୋଣ୍ଡା ହାଇୱେ ନିକଟରେ ଦୁର୍ଘଟଣା ହୋଇଥିଲା। ହରିକ୍ରୀଷ୍ଣା ଜଣେ ଅଭିନେତା ଭାବେ ପରିଚିତ ହେବା ସହିତ ଟିଡ଼ିପି ନେତା ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ପୁଅ ଥିଲେ। ପୁଲିସ୍‌ କହିଛି ଯେ, ସେ ଦୃତଗତିରେ ଗାଡ଼ି ଚଳାଇବା ସହିତ ସିଟ୍‌ବେଲ୍ଟ ବାନ୍ଧିନଥିଲେ। ଏଥିପାଇଁ ଦୁର୍ଘଟଣା ପରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ଏହି ଫଟୋଟି ଭଆଇରାଲ ହେବା ପରେ ହରିକ୍ରୀଷ୍ଣାଙ୍କ ସମର୍ଥକ ମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ହସ୍ପିଟାଲ୍‌ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ପରେ ଘଟଣାର ସ୍ପଷ୍ଟୀକରଣ ଦେଇ ହସ୍ପିଟାଲ୍‌ ପକ୍ଷରୁ ୪ ଜଣ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏଥିସହିତ କର୍ମଚାରୀଙ୍କ ଏଭଳି ବ୍ୟବହାର ପାଇଁ ହସ୍ପିଟାଲର ମୁଖପାତ୍ର ରବି ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି।

ହରିକ୍ରୀଷ୍ଣା ରାମାରାଓଙ୍କର ଚତୁର୍ଥ ପୁତ୍ର ଥିଲେ। ଏହାସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ମଧ୍ୟ ଶାଳକ ଥିଲେ। ତାଙ୍କ ପୁତ୍ର ଏନ୍‌ଟିଆର୍‌ ଜୁନିଅର ତେଲୁଗୁ ସିନେମା ଜଗତରେ ଜଣେ ଲୋକପ୍ରିୟ କଳାକାର ଭାବେ ପରିଚିତ।

You might also like