‘ଯେତେ ହର୍ଣ୍ଣ ବଜାଇବେ, ସେତେ ସମୟ ଅପେକ୍ଷା କରିବେ’

ମୁମ୍ବାଇ: ନୂଆ ମୋଟର ଯାନ(ସଂଶୋଧିତ) ଆଇନ୍‌ ଲାଗୁ ହେବାପରେ ସାରା ଦେଶରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଆଦାୟ ହେଉଛି।

ଏମିତିରେ ଆପଣମାନେ ଦେଖିଥିବେ, ଟ୍ରାଫିକ୍‌ ସିଗ୍ନାଲ୍‌ ରେଡ୍‌ ଥିଲେ ମଧ୍ୟ କିଛି ଲୋକ ବିନା କାରଣରେ ବାରମ୍ବାର ହର୍ଣ୍ଣ ବଜାଇ ଶବ୍ଦ ପ୍ରଦୂଷଣ କରିଥାନ୍ତି। ଏଭଳି ଲୋକମାନଙ୍କୁ ଉଚିତ୍‌ ଶିକ୍ଷା ତଥା ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମୁମ୍ବାଇ ପୁଲିସ୍‌ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି।

ମୁମ୍ବାଇର ଯେଉଁ ସବୁ ସ୍ଥାନରେ ଅଧିକ ଟ୍ରାଫିକ୍‌ ଜାମ୍‌ ରହୁଛି, ସେସବୁ ଟ୍ରାଫିକ୍‌ ସିଗ୍ନାଲ୍‌ରେ ଡେସିବଲ୍‌ ମିଟର ଲଗାଯାଇଛି। ଏନେଇ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ଯାହାର ନାଁ ‘Punishing signal’ ରଖାଯାଇଛି।

ଟ୍ରାଫିକ୍‌ ପୋଷ୍ଟ୍‌ରେ ଲଗାଯାଇଥିବା ଏହି ଡେସିବଲ୍ ମିଟର ଗୁଡ଼ିକ ଟ୍ରାଫିକ୍‌ ସିଗ୍ନାଲ୍‌ ସହ ଜଡ଼ିତ। ଯଦି ଆପଣ ଅଧିକ ଥର ହର୍ଣ୍ଣ ବଜାଉଛନ୍ତି, ତା’ହେଲେ ଡେସିବଲ୍‌ ଲେବଲ୍‌ ୮୫ ରେ ପହଞ୍ଚିଯିବ। ଫଳରେ ଟ୍ରାପିକ୍‌ ସିମ୍ନାଲ୍‌ର ଟାଇମ୍‌ ପୁଣିଥରେ ସେଟ୍‌ ହୋଇଯିବ ଓ ଗାଡ଼ି ଚାଳକଙ୍କୁ ଆହୁରି ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ।

କିଭଳି ଭାବରେ ଲୋକମାନେ ଟ୍ରାଫିକ୍‌ ସିଗ୍ନାଲ୍‌ରେ ବାରମ୍ବାର ହର୍ଣ୍ଣ ବଜାଉଛନ୍ତି, ଏହାପରେ ସେମାନଙ୍କୁ ଅଧିକ ସମୟ ଧରି ଛିଡ଼ା ହେବାକୁ ପଡ଼ୁଛି, ଏସବୁ ଘଟଣାକୁ ନେଇ ମୁମ୍ବାଇ ପୁଲିସ୍‌ ଏହାର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ପୋଷ୍ଟ କରିଛି।

ଦେଶର ସବୁଠାରୁ ଶବ୍ଦ ପ୍ରଦୂଷଣ ସହର ମଧ୍ୟରେ ମୁମ୍ବାଇ ମଧ୍ୟ ସାମିଲ ଅଛି। ଏଠାରେ ଅଧିକ ଶବ୍ଦ ପ୍ରଦୁଷଣ ଟ୍ରାଫିକ୍‌ ସିଗ୍ନାଲ୍‌ରେ ହୋଇଥାଏ।

ଅନ୍ୟପକ୍ଷରେ ମୁମ୍ବାଇ ପୁଲିସ୍‌ ପକ୍ଷରୁ ନିଆଯାଇଥିବା ଏଭଳି ନିଆରା ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି।

You might also like