ଭାରତୀୟ ବିମାନ ଉପରେ ଏହି ସବୁ ଦେଶ ଲଗାଇଲେ ପ୍ରତିବନ୍ଧକ: ଜାଣନ୍ତୁ କାହିଁକି?

କେବେ ସ୍ୱାଭାବିକ ହେବ ସ୍ଥିତି?

ନୂଆଦିଲ୍ଲୀ: କରୋନା ଦାଉରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡ଼ାକିଲାଣି ବିଶ୍ୱ। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି କରୋନା। ଅଦୃଶ୍ୟ ମହାମାରୀ ସହ କେମିତି ଲଢେଇ କରିବ ମଣିଷ ସେନେଇ ଅନେକ ଗବେଷଣା ବି ଚାଲିଛି। ଆଉ ଏହାରି ମଧ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗତବର୍ଷ ଅପେକ୍ଷା ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଆଉ ଏହାକୁ ନଜରରେ ରଖି ବିଭିନ୍ନ ଦେଶ ଏବେ ଅନ୍ୟଦେଶରୁ ଆସୁଥିବା ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି। ସ୍ଥିତି ଏମିତି ହେଲାଣି ଯେ, ଭାରତରୁ ଯାଉଥିବା ବିମାନକୁ ନିଜ ଦେଶରେ ଲ୍ୟାଣ୍ଡିଂ କରିବାର ସୁଯୋଗ ଦେଉନାହାନ୍ତି ଅନ୍ୟ ଦେଶ। ବିଶ୍ୱରେ ଭାରତରେ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଏମିତି ସ୍ଥିତି ଉପୁଜିଥିବା କୁହାଯାଉଛି।

ଜାଣନ୍ତୁ କେଉଁ ଦେଶ ଭାରତୀୟ ବିମାନ ଉପରେ ଲଗାଇଛି ପ୍ରତିବନ୍ଧକ?

ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମାରାତ୍ମକ ଭୂତାଣୁ କବଳରେ ଘାଂଟି ହେଉଛି ଭାରତ। କିନ୍ତୁ ନିଜେ ଭୂତାଣୁର ସୃଷ୍ଟିକର୍ତ୍ତା ହୋଇଥିବା ଚୀନ ଏବେ ଭାରତ ବିମାନ ଉପରେ ଲଗାଇଛି ପ୍ରତିବନ୍ଧକ। ସୂଚନା ଅନୁସାରେ, ଏପ୍ରିଲ ୨୦ ରୁ ମେ ୩ ପର୍ଯ୍ୟନ୍ତ ଭାରତୀୟ ବିମାନ ଉପରେ କଟକଣା ଲଗାଇଛି ହଙ୍କଙ୍ଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ହଙ୍କଙ୍ଗକୁ ଯାତ୍ରା କରୁଥିବା ବିମାନରେ ୩୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଚାଇନା ଏହି ନିଷ୍ପତ୍ତି ନେଇଛି। କେବଳ ଯେ, ଭାରତୀୟ ବିମାନ ତାହା ନୁହେଁ ବରଂ ପାକିସ୍ତାନ ଓ ଫିଲିଫାଇନ୍ସ ବିମାନ ଉପରେ ବି ପ୍ରତିବନ୍ଧକ ଲଗାଇଛି ହଙ୍କଙ୍ଗ।

ଭୂତାଣୁ ରୋକିବାକୁ କଡ଼ା ନିୟମ

ଦେଶରେ କରୋନାକୁ ଆୟତ୍ତ କରିବାକୁ କିଛି ନୂଆ ନିୟମ କରିଛି ହଙ୍କଙ୍ଗ। ଏଣିକି ଯେଉଁମାନେ ସେହି ସହରକୁ ଯାତ୍ରା କରିବେ ସେମାନେ ୭୨ ଘଂଟା ମଧ୍ୟରେ କରିଥିବା ଆରଟିପିସିଆର୍‌ ଟେଷ୍ଟର ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ହିଁ ଯାତ୍ରା କରିବାକୁ ଅନୁମତି ଦିଆଯିବ ବୋଲି ହଙ୍କଙ୍ଗ ସ୍ପଷ୍ଟ କରିଛି। ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଭାରତରୁ ବିମାନ ଚଳାଚଳ ବନ୍ଦ କରିଦେଇଛି। କରୋନା ମହାମାରୀ ବଢୁଥିବାରୁ ସେଠାକାର ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି। ଏହାସହ ସାଉଦି ଆରବ୍‌ ମଧ୍ୟ ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଆଉ ଏହି ପ୍ରତିବନ୍ଧକର ସମୟ କେତେ ରହିବ ସେନେଇ ବର୍ତ୍ତମାନ ସମୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଆଉ ଆମେରିକା ମଧ୍ୟ ନିଜ ନାଗରିକଙ୍କୁ ସଚେତନ କରି କହିଛି, ଦରକାର ନଥିଲେ ଭାରତ ଯାଅ ନାହିଁ। ଗୋଟିଏ ପଟେ କରୋନା ଦାଉରେ ସାରା ଦେଶ ଯୁଝି ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଦେଶ ଭାରତର ବିମାନ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଯାହାଦ୍ୱାରା ସେହି ସବୁ ଦେଶରେ ଅନେକ ପ୍ରବାସୀ ଭାରତୀୟ ଫସି ରହିଛନ୍ତି। ହେଲେ, ଆଗାମୀ ଦଇନରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ଥରେ ସବୁ ଦେଶକୁ ଭାରତର ବିମାନ ଚଳାଚଳ କରିବ ବୋଲି କୁହାଯାଉଛି।

You might also like