ରାମ ରହିମଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଲେ ହନିପ୍ରୀତ୍‌

ଗୁରୁଗ୍ରାମ: ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାମ ରହିମ ଅସୁସ୍ଥ ହେବା ଖବର ଜାଣିବା ପରେ ତାଙ୍କର ପାଳିତା କନ୍ୟା ହନିପ୍ରୀତ୍‌ ଆଜି ସକାଳ ସାଢ଼େ ୮ଟାରେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌ରେ ପହଞ୍ଚି ଥିଲେ। ରାମ ରହିମଙ୍କୁ ଭେଟିବା ପାଇଁ ହନିପ୍ରୀତ୍‌ ଆଟେଣ୍ଡାଣ୍ଟ୍‌ ଭାବେ ଏକ କାର୍ଡ କରିଛନ୍ତି। ଫଳରେ ସେ ପ୍ରତ୍ୟେକ ଦିନ ରାମ ରହିମଙ୍କୁ ଭେଟି ପାରିବେ। ରାମ ରହିମଙ୍କ ଦେଖାଶୁଣା କରିବା ପାଇଁ ଜୁନ୍‌ ୧୫ ପର୍ଯ୍ୟନ୍ତ ହନିପ୍ରୀତ୍‌ଙ୍କୁ ଏହି ଆଟେଣ୍ଡାଣ୍ଟ୍‌ କାର୍ଡ ଦିଆଯାଇଛି।

ରୋହତକ ଜିଲ୍ଲା ସୁନାରିୟା ଜେଲ୍‌ରେ ବନ୍ଦୀ ଥିବା ରାମ ରହିମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଜୁନ୍‌ ୩ରେ ଖବର ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ପିଜିଆଇ ରୋହତକରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳ ୭ଟାରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ତାଙ୍କୁ ଜେଲ୍‌ରୁ ପିଜିଆଇ ହସ୍ପିଟାଲ୍‌ ନିଆଯାଇଥିଲା ଓ ଏହାପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପୂର୍ବରୁ ମେ’ ୧୨ରେ ବ୍ଲଡ୍‌ ପ୍ରେସର ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେହି ସମୟରେ ସେ କରୋନା ଟେଷ୍ଟ କରିବାକୁ ମନା କରି ଦେଇଥିଲେ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦୧୭ ଅଗଷ୍ଟରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

You might also like