ମମତାଙ୍କୁ ଶାହ କହିଲେ କେନ୍ଦ୍ର ଆପଣଙ୍କ ସହିତ ଅଛି

ନୂଆଦିଲ୍ଲୀ: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଅମ୍ପନ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଲେଣି।

ଏହି ବାତ୍ୟାରେ ଓଡ଼ିଶା ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହେବାରୁ ଦୁଇ ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ସହିତ କଥା ହେଇ ଶାହ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି ମମତା ସରକାରଙ୍କୁ ମଧ୍ୟ ସହଯୋଗର ଆଶ୍ୱାସନା ଦେଇହିଛନ୍ତି ଶାହ। ଏହି ସମୟରେ କେନ୍ଦ୍ର ଆପଣଙ୍କ ସହିତ ଅଛି ବୋଲି ଶାହ କହିଛନ୍ତି।

ଏପଟେ ଓଡ଼ିଶାର ନିକଟତର ହେଉଛି ବାତ୍ୟା। ଆଇଏମ୍‌ଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆର. କେ. ଜେନାମଣି ବାତ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା ଅମ୍ପନର ଆଉଟର କ୍ଲାଉଡ ଓ୍ୱାଲ। ଗୋପାଳପୁର ଠାରୁ ୨୧୦ କିଲୋମିଟର ଦୂରରେ ଏହା ଅତିକ୍ରମ କରିବ ବୋଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟା ପାରାଦୀପ ଠାରୁ ୧୧୦ ରୁ ୧୨୦କିଲୋମିଟର ଦୂରରେ ଅତିକ୍ରମ କରିବ। ବାଲେଶ୍ୱରଠାରୁ ୧୭୦ କିଲୋମିଟର ଦୂରରେ ଯିବ । ବାତ୍ୟା ଅମ୍ପନର ଆଖିର ବ୍ୟାସାର୍ଦ୍ଧ ୩୦ କିଲୋମିଟର ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳବାସୀଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଛି। ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୬ ହଜାର ଲୋକଙ୍କୁ ସ୍ଥାନାନ୍ତର ସରିଲାଣି ବାତ୍ୟା। ଆଶ୍ରୟସ୍ଥଳୀ, ସ୍କୁଲ ଭଳି ସୁରକ୍ଷିତ ସ୍ଥାନକୁ ଏମାନଙ୍କୁ ନିଆଯାଇଛି। ନିଜେ ବାହାନଗା ତହସିଲଦାର ଘର ଘର ବୁଲି ଲୋକଙ୍କୁ ସତର୍କ କରାଉଛନ୍ତି। ପୋଲିସ, ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍‌କୁ ଏଥିରେ ନିୟୋଜିତ କରାଯାଇଛି।

ସେହିପରି ବାତ୍ୟା ଅମ୍ପନକୁ ଦେଖି ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଛି। ଏମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।  ବାତ୍ୟା ବିପଦକୁ ଦେଖି ଜୀବନ ହାନି ଏଡ଼ାଇବା ପାଇଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଥିବା ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି।

You might also like