ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ମିଳିବ ୫୦୦୦ ଟଙ୍କା

ଲାଭ ଉଠାଇ ପାରିବେ ବିପିଏଲ୍ ପରିବାର

ଚଣ୍ଡୀଗଡ଼ : ଗରିବ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ଖଜାନା ଖୋଲିଦେଲେ ସରକାର । ଟଙ୍କା ଅଭାବରୁ ଯେପରି କୌଣସି ଗରିବ ବ୍ୟକ୍ତିର ଚିକିତ୍ସାରେ ସମସ୍ୟା ହେବନି, ସେଥିପାଇଁ ବିଶେଷ କାର୍ଯ୍ୟ ଯୋଜନା ଅନୁସାରେ ହରିୟାଣା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଗରିବ ସୀମାରେଖା ତଳେ ଜୀବଜାପନ କରୁଥିବା ପରିବାରକୁ ଏହି ରାଶି ପ୍ରଦାନ କରାଯିବ । ଅର୍ଥାତ ଘରେ ଆଇସୋଲସନରେ ରହି ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କୁ ମିଳିବ ୫୦୦୦ ଟଙ୍କା ସହାୟତା ରାଶି । ଏହି ରାଶି ସିଧାସଳଖ ଗରିବଙ୍କ ଅକାଉଣ୍ଟରେ କ୍ରେଡିଟ୍ ହେବ ।

ବିପିଏଲ ପରିବାରର ସଂକ୍ରମିତ ବ୍ୟକ୍ତି ଯେପରି ଏହାର ଲାଭ ଉଠାଇ ପାରିବେ ସେଥିପାଇଁ ସ୍ୱତନ୍ତ୍ର ନିୟମ ରହିଛି । ସେମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ଘରୋଇ ହସ୍ପିଟାଲରେ ଗରିବ ସୀମାରେଖା ତଳେ ରହୁଥିବା ବ୍ୟକ୍ତି https://gmdahrheal.in/ ରେ ନିଜର ସମସ୍ତ ବିବରଣୀ ଅପଲୋଡ଼୍ କରିବେ । ତା’ପରେ ତାଙ୍କୁ ଖାତାକୁ ଯିବ ସରକାରୀ ସହାୟତା । ସେହିପରି ରାଜ୍ୟରେ କୋଭିଡ ସମ୍ବନ୍ଧୀୟ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ୮୫୫୮୮୯୩୯୧୧ ମଧ୍ୟ ଜାରି କରାଯାଇଛି ।

ହରିୟାଣାର ଗୃହ, ସହରୀ ବିକାଶ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ ରବିବାର ଦିନ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଜନତାଙ୍କୁ ସୂଚନା ଦେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘରୋଇ ହସ୍ପିଟାଲରେ ହରିୟାଣାର ଲୋକଙ୍କ ଚିକିତ୍ସାକୁ ପ୍ରାଥମିକତା ଦେବା ସହ ବିପିଏଲ କାର୍ଡ଼ଧାରୀ ପରିବାରଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅନେକ ଘୋଷଣା କରିଥିଲେ । କୌଣସି ବି ହସ୍ପିଟାଲରେ ୭ ଦିନ ପାଇଁ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମୋଟ୍ ମେଡ଼ିକାଲ ବିଲରୁ ୩୫ ହଜାର ଟଙ୍କା ଛାଡ଼ ଘୋଷଣା କରିଛନ୍ତି ସରକାର ।

ହରିୟାଣା ହସ୍ପିଟାଲରେ ଏପରି ୪୦ ପ୍ରତିଶତ କେରାନା ରୋଗୀ ଚିକିତ୍ସିତ ହେଉଛନ୍ତି, ଯେଉଁମାନେ ରାଜଧାନୀ ଦିଲ୍ଲୀର ରୋଗୀ । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ଅନ୍ୟ ରାଜ୍ୟର ସଂକ୍ରମିତଙ୍କ ଚିକିତ୍ସାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପ୍ରତି ବି ସମାନ୍ତରାଳ ଭାବେ ଧ୍ୟାନ ଦେଉଛନ୍ତି । ହେଲେ ନିଜ ରାଜ୍ୟର ସଂକ୍ରମିତଙ୍କୁ ପ୍ରାଥମିକତା ଦିଆଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ରହିଛି । ଗ୍ରାମୀଣ ଅଞ୍ଚଳରେ ଥିବା ୪୦ ଲକ୍ଷ ପରିବାର ପାଇଁ ପୂର୍ବରୁ ହରିୟାଣା ସରକାର ୮ ହଜାର ଟିମ୍ ପ୍ରସ୍ତୁତ କରିଛନ୍ତି । ପ୍ରତି ୫୦୦ ପରିବାର ପାଇଁ ଗୋଟିଏ ଟିମ କାମ କରୁଛି । 

ହରିୟାଣାରେ ୬୭୦୦ ଟି ଗାଁ ଥିବାବେଳେ ସହରରେ ପ୍ରାୟ ୨୦ ଲକ୍ଷ ପରିବାର ବସବବାସ କରୁଛନ୍ତି । ପ୍ରତ୍ୟେକ ଗାଁରେ କୋଭିଡି ଆଇସୋଲେସନ୍ ସେଣ୍ଟର ନିର୍ମାଣ ହୋଇଛି । କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ୬୦ଟି ନୂଆ ଅକ୍ସିଜେନ୍ କାରଖାନା କରିବା ପାଇଁ ଆଗାମୀ ଯୋଜନା ରହିଛି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜିତ୍, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏବଂ ଗୃହମନ୍ତ୍ରୀ ଅନିଲ ବିଜ ଜୋରସୋରରେ ପ୍ରୟାସ ଚଳାଇଛନ୍ତି।

You might also like