ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ମମତାଙ୍କ ପରାଜୟ: ଶାହା

କୋଲକାତା: ନନ୍ଦିଗ୍ରାମ ରଣାଙ୍ଗନରେ ରଥି ମହାରଥୀଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଘମାଘୋଟ ପ୍ରଚାର। ଉଠୁଛି ପଡୁଛି ପ୍ରଚାର ମୈଦାନ। ବିରାଟ ଶୋଭାଯାତ୍ରାରେ ଶୁଭେନ୍ଦୁଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। କହିଛନ୍ତି, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ନନ୍ଦିଗ୍ରାମରେ ମମତାଙ୍କ ପରାଜୟ। ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଓ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଦିଦିଙ୍କୁ ଘେରିଛନ୍ତି ଶାହା। ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବି ଶୁଭେନ୍ଦୁଙ୍କ ଲାଗି ଭୋଟ୍ ଭିକ୍ଷା କରିଛନ୍ତି। ସେପଟେ ହ୍ୱିଲ ଚେୟାରରେ ନନ୍ଦିଗ୍ରାମର ଭାଗବେଡା ଓ ସୋନାଚୁଡ଼ାରେ ପଦଯାତ୍ରା କରିଛନ୍ତି ଟିଏମ୍‌ସି ସୁପ୍ରିମୋ। ସଫା ସଫା କହିଛନ୍ତି, ସେ ଥରେ ନନ୍ଦିଗ୍ରାମ ଆସିଲେ, କେବେବି ଛାଡିବେନି। ଆଗାମୀ ୪୮ ଘଣ୍ଟା ମୁଣ୍ଡ ଥଣ୍ଡା ରଖି ମତଦାନ କରିବାକୁ ଭୋଟରଙ୍କୁ ଆହ୍ୱାନ କରିଛନ୍ତି ମମତା।

ଆସାମରେ ବି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ମାରାଥନ କ୍ୟାମ୍ପେନ। ଶେଷ ଦିନରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଧର୍ମାପୁରରେ ସାଧାରଣ ସଭାକୁ ସମ୍ଭୋଧନ କରି ନଡ୍ଡା ଉଠାଇଛନ୍ତି ଆସାମ ବିକାଶ ପ୍ରସଙ୍ଗ। ବାରମ୍ବାର ବନ୍ୟାର ଶୀକାର ହେଉଥିବା ଆସାମବାସୀଙ୍କୁ ବନ୍ୟା ରୋକିବାକୁ କଥା ଦେଇଛନ୍ତି। ବ୍ରହ୍ମପୁତ୍ରରେ ବନ୍ୟାର ସାଟେଲାଇଟ୍ ସର୍ବେକ୍ଷଣ ସହ ଡ୍ୟାମ ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ତା ସହି କହିଛନ୍ତି ଯେ ବିଜେପି ଚାହୁଁଛି ଆସାମର ସବୁ ଗାଁ ଆତ୍ମନିର୍ଭର ହେଉ।

ଏପଟେ ତାମିଲନାଡୁ ଓ କେରଳରେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତାଙ୍କ ଆଶୀର୍ବାଦ ମିଳିଲେ ଏନ୍‌ଡିଏକୁ ତାମିଲନାଡୁବାସୀଙ୍କ ସେବା କରିବାର ସୌଭାଗ୍ୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ସଭା ମଞ୍ଚରୁ ଏମଜିଆର ଓ ଜୟଲଳିତାଙ୍କୁ ମନେ ପକାଇଛନ୍ତି ମୋଦି। ସେହିପରି କେରଳର ପଲକ୍କଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଏଲଡିଏଫ ଓ ୟୁଡିଏଫ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଏହାରି ଭିତରେ ହେଭିୱେଟ୍ ନେତାଙ୍କ ହାଇଭୋଲଟେଜ୍ ପ୍ରଚାରରେ ଲାଗିଛି ବିରାମ। ଏବେ ଅପେକ୍ଷା ଏପ୍ରିଲ ୧ ତାରିଖର ଭୋଟ୍ ଗ୍ରହଣକୁ।

You might also like