ହସ୍ପିଟାଲରେ ବେଡ୍ ମିଳିଲାନି : ଆଖି ବୁଜିଲେ ୩୦୦ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିବା କରୋନା ଯୋଦ୍ଧା

  • ୩୦୦ରୁ ଅଧିକ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିଲେ
  • ନିଜେ କରୋନା ସଂକ୍ରମିତ ହେବା ପରେ ୩ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ବେଡ
  • ଅକାଳରେ ଚାଲିଗଲା ଜୀବନ

ହିସାର : ନିର୍ଦ୍ଦୟ ହୋଇଗଲା ମହାମାରୀ । ଆଉ ଜଣେ ଗରିବଙ୍କ ଦେବଦୂତକୁ କବଳିତ କଲା ମାୟାବୀ ଭାଇରସ୍ । କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ କରୋନା ଯୋଦ୍ଧା । ଦେଶରେ କରୋନାର ଦ୍ୱିତୀୟ ଲହରୀରେ ଦିନ ରାତି କଠିନ ପରିଶ୍ରମ କରୁଥିବା ଯୋଦ୍ଧାଙ୍କ ସୁରକ୍ଷା ଭଗବାନ ଭରସାରେ । ଶହ ଶହ ଲୋକଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ମେଡ଼ିକାଲରେ ବେଡ ଟିଏ ବି ମିଳୁନି । ଏହାର ସବୁଠାରୁ ବଡ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ହିସାରରେ । କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରୁଥିବା ଟିମର ମୁଖ୍ୟ ରହିଥିବା ପ୍ରବୀଣ କୁମାରଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲରେ ବେଡ ମିଳିଲା ନାହିଁ । ଫଳରେ ଜୀବନ ହାରିଛନ୍ତି ଆଉ ଜଣେ ଯୋଦ୍ଧା । ପ୍ରବୀଣଙ୍କ ମୃତ୍ୟୁ ପରେ ସାରା ସହରରେ ଶୋକର ମାହୋଲ ।

କରୋନା ସଂକ୍ରମିତ ପ୍ରବୀଣଙ୍କୁ ନେଇ ପରିବାର ଲୋକ ଏ ହସ୍ପିଟାଲରୁ ସେ ହସ୍ପିଟାଲ ୩ ଘଣ୍ଟା ସମୟ ବୁଲିଥିଲେ, ହେଲେ ତାଙ୍କୁ ବେଡ ଟିଏ ମିଳିଲାନି । ମେୟରରଙ୍କ ଠାରୁ କମିସନର, ସିଏମଓଙ୍କୁ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ ଜଣାଇଥିଲେ ପ୍ରବୀରଙ୍କ ସାଥୀ ଓ ପରିବାର ଲୋକ । ଶେଷରେ ବହୁ କଷ୍ଟରେ କମିସନରଙ୍କ ପ୍ରାୟସ କ୍ରମେ ଏକ ବେଡ ମିଳିଗଲା । ହେଲେ ସେତେବେଳକୁ ପ୍ରବୀଣଙ୍କ ଅକ୍ସିଜେନ୍ ଲେବେଲ୍ ୪୦ ତଳକୁ ଖସି ସାରିଥିଲା । ତାଙ୍କୁୁ ଦେଖୁ ଦେଖୁ ଡାକ୍ତରମାନେ ହାତ ଟେକି ଦେଇଥିଲେ । ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ । ତେବେ ଚିକିତ୍ସା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ଆଖି ବୁଜି ଦେଇଥିଲେ ଅନ୍ୟକୁ ସାହାଯ୍ୟ କରୁଥିବା ମହାନ୍ ମଣିଷ ।

ହିସାର ସହରର ସଫେଇ ବ୍ୟବସ୍ଥା ପରିଚାଳନା କରୁଥିବା ସାନିଟାରୀ ୱାର୍କର୍ସ ୟୁନିଅନର ମୁଖ୍ୟ ଥିଲେ ପ୍ରବୀଣ କୁମାର । ୭୦୦ ପରିମଳ କର୍ମଚାରୀଙ୍କ ଦାୟିତ୍ୱ ତାଙ୍କ ଉପରେ ଥିଲା। ସହରର ପାୱାରଫୁଲ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ ପ୍ରବୀଣ । ତାଙ୍କର ଗୋଟିଏ ଇସାରାରେ ସହରର ସଫେଇ ହୋଇଯାଉଥିଲା । ମ୍ୟୁନିସିପାଲିଟି କର୍ମଚାରୀ ସଂଘର ମୁଖ୍ୟ ଥିବା ସତ୍ତ୍ୱେ ଏପ୍ରିଲ ୧୨, ୨୦୨୦ କରୋନାରେ ଜୀବନ ହାରୁଥିବା ବ୍ୟକ୍ତିଙ୍କ ଦାହ ସଂସ୍କାର କରିବାର ଦାୟିତ୍ୱ ନେଇଥିଲେ । ସଂକ୍ରମଣକୁ ଭୟ ନକରି ଏକ ବର୍ଷ ମଧ୍ୟରେ ସେ ଓ ତାଙ୍କ ଟିମ୍ ୩୦୦ ରୁ ଅଧିକ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରାଇଛନ୍ତି । କେବଳ ଏତିକି ନୁହେଁ ଦାହ ସଂସ୍କାରରୁ ମିଳୁଥିବା ଅର୍ଥକୁ ନିଜ ପାଖରେ ନରଖି ଗରିବଙ୍କୁ ସାହାଯ୍ୟ କରିବାକୁ ଖର୍ଚ୍ଚ କରି ଦେଉଥିଲେ ।

ପ୍ରବୀଣଙ୍କ ଭାଇ ପୱନ କହିଛନ୍ତି, ରବିବାର ଦିନ ଅସୁସ୍ଥ ହୋଇପଡ଼ିବାରୁ କରୋନା ସଂକ୍ରମିତ ଭାଇଙ୍କୁ ଧରି ହସ୍ପିଟାଲରୁ ହସ୍ପିଟାଲ ବୁଲିଲା ପରେ ବି ବେଡ ଟିଏ ମିଳିଲା ନାହିଁ । ଅଣନିଶ୍ୱାସୀ ହୋଇ ଗାଡ଼ିରେ ଛଟପଟ ହେଉଥିଲେ ଭାଇ । ଶେଷରେ ଅନେକ ଅନୁରୋଧ କରିବା ପରେ କମିଶନରଙ୍କ ଉଦ୍ୟମରେ ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଏକ ବେଡ ଯୋଗାଡ଼ ହୋଇ ପାରିଥିଲା । ବେଡ ମିଳିଗଲା ସନା, ହେଲେ ଭାଇକୁ ଆମେ ବଞ୍ଚାଇ ପାରିଲୁ ନାହିଁ କହି କାନ୍ଦି ପକାଇଛନ୍ତି ।

You might also like