ବିଶ୍ୱ ହିନ୍ଦୁ ମହାସଭାର ନେତାଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଶ୍ୱ ହିନ୍ଦୁ ମହାସଭାର ନେତା ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଛିି। ହଜରତଗଞ୍ଜ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବାବେଳେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସେହି ସମୟରେ ରଞ୍ଜିତଙ୍କ ସହ ଆଉ ଜଣେ ବ୍ୟକ୍ତି ଥିଲେ। ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ ଓ ଏହାପରେ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ।

ଘଟଣାସ୍ଥଳରୁ ଏକ .୩୨bore ପିସ୍ତଲ ଜବତ ହୋଇଛି। ଯାହାକୁ ବିହାରରେ ତିଆରି କରାଯାଇଥିବା ଜଣାପଡ଼ିଛି।

ପୁଲିସ୍‌ର କହିବା ଅନୁସାରେ, ଲୁଟ୍ ଉଦ୍ଦେଶ୍ୟ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି। ତେବେ ପ୍ରକୃତରେ କାହିଁକି ରଞ୍ଜିତଙ୍କୁ ହତ୍ୟା କରାଗଲା ? ହତ୍ୟା ପଛରେ କ’ଣ ରହିଛି ଷଡ଼ଯନ୍ତ୍ର ?  ଏନେଇ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଗତ ୫ ମାସ ଭିତରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର ହୋଇଛନ୍ତି। ୨୦୧୯ ଅକ୍ଟୋବରରେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ୱାରୀଙ୍କୁ ହତ୍ୟା କରାଯାଇଥିଲା।

You might also like