ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ।

ଗୌହାଟି: ଉତ୍ତର-ପୂର୍ବର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଆସାମରେ ନେତୃତ୍ୱ ପରିବର୍ତ୍ତନ। ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ମୁଖ୍ୟମନ୍ତ୍ରୀ। ଗୌହାଟୀରେ ବସିଥିବା ବିଧାୟକ ଦଳ ବୈଠକରେ ସୋନଓ୍ୱାଲ, ବିଶ୍ୱଶର୍ମାଙ୍କ ନାଁ ସୁପାରିଶ କରିଥିଲେ, ଯାହା ସର୍ବସମ୍ମତିରେ ଅନୁମୋଦିତ ହୋଇଛି। ବିଧାୟକ ଦଳ ବୈଠକରେ ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ରୀୟ ସଂଗଠନ ସଂପାଦକ ବି.ଏଲ୍. ସନ୍ତୋଷ ଏବଂ ଅଜୟ ଜାମଓ୍ବାଲ୍ ପ୍ରମୁଖ ଉପସ୍ଥିତ ଥିଲୋ
ସେପଟେ ବିଶ୍ୱଶର୍ମା ଆସନ୍ତାକାଲି ଶପଥ ଗ୍ରହଣ କରିବେ। ନେତା ନିର୍ବାଚିତ ହେବା ପରେ ବିଶ୍ୱଶର୍ମା, ବିଦାୟୀ ମୁଖ୍ୟମନ୍ତ୍ରୀ ସୋନଓ୍ୱାଲ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ଅନ୍ୟ ଦଳୀୟ ନେତା ଏବଂ ସହଯୋଗୀ ଏଜିପି ଓ ୟୁପିପିଏଲର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ। କାଲି ମଧ୍ୟାହ୍ନରେ ଶପଥ ଉତ୍ସବ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଛି ବୋଲି ପ୍ରଭାରୀ ବୈଜୟନ୍ତ ପଣ୍ଡା ଟୁଇଟ କରି ଜଣାଇଛନ୍ତି।
ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ। କ୍ରମାଗତ ଦ୍ୱିତୀୟ ଥର ଲାଗି ବିଜେପି ଆସାମରେ ସରକାର ଗଢିବାକୁ ଯାଉଥିବା ବେଳେ ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଲାଗି ବାଛିଚି।  ବିଜେପି ୫ ବର୍ଷ ଧରି ସ୍ବଚ୍ଛ ଓ ଦକ୍ଷ ପ୍ରଶାସନ ଦେଇଥଲେ ମଧ୍ୟ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରାଯାଇଛି। ବିଭିନ୍ନ କାରଣକୁ ନେଇ ବିଶ୍ୱଶର୍ମାଙ୍କୁ ଦଳ ପ୍ରମୋଶନ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନାକୁ କାର୍ଯକାରୀ କରିବା ହେଉ କିମ୍ବା କୋଭିଡର ସଫଳ ପରିଚାଳନା, ଅର୍ଥ ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିଶ୍ୱଶର୍ମାଙ୍କ ଗୋଟି ଚାଳନା ଯୋଗୁଁ ହିଁ ଦଳକୁ ଆସାମରେ ଅଭୂତପୂର୍ବ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି।
ଦଳର ଅନ୍ୟ ସହଯୋଗୀ ଏଜିପି ଓ UPPL ବିଧାୟକଙ୍କ ମଧ୍ୟରେ ବି ବିଶ୍ୱଶର୍ମାଙ୍କର ଅଧିକ ଗ୍ରହଣୀୟତା ରହିଛି। ତେବେ କେବଳ ଆସାମ ନୁହେଁ ନର୍ଥ ଇଷ୍ଟ ଡେମୋକ୍ରାଟିକ୍ ଆଲାଏନ୍ସର ସଂଯୋଜକ ଥିବା ହିମନ୍ତଙ୍କ ନେତୃତ୍ୱରେ ହିଁ ବିଜେପି ଉତ୍ତର-ପୂର୍ବ ଭାରତରେ ନିଜ ସ୍ଥିତି ମଜଭୁତ କରିପାରିଥିବା କୁହାଯାଉଛି। ଆସାମ ବିଧାନସଭାର ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟିରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଏଜିପି ୯ ଓ ୟୁପିପିଏଲ୍ ୬ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛନ୍ତି।
ନିର୍ବାଚନ ପୂର୍ବରୁ ଏନଆରସି ଓ ସିଏଏ ଆନ୍ଦୋଳନକୁ ନେଇ ବିଜେପି ବ୍ୟାକଫୁଟରେ ଥିଲା। ମାତ୍ର ଗୋଟିକ ପରେ ଗୋଟିଏ ବିକାଶ ଯୋଜନାକୁ କାର୍ଯକାରୀ କରି ଦଳ ସରକାରୀ ବିରୋଧୀ ହାଓ୍ୱାକୁ କାଉଣ୍ଟର କରିଥିଲା। ଗ୍ରାଉଣ୍ଡ ଜିରୋରେ ରହି ସରକାରଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା। ହିମନ୍ତ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ବୈଜୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 ୨୦୧୫ରେ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଥିଲେ ହିମନ୍ତ। ତାଙ୍କ ଗୋଟି ଚାଳନାରେ ୨୦୧୬ରେ ଆସାମରେ ଦଳ ଚମକପ୍ରଦ ବିଜୟ ହାସଲ କରିଥିଲା। ତେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଥିବା ଥିବା ସୋନଓ୍ୱାଲଙ୍କୁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଅନ୍ୟପକ୍ଷରେ ପୂର୍ବରୁ ବିଜେପି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରୋଜେକ୍ଟ କରୁଥିବା ବେଳେ ଚଳିତ ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।  ତେଣୁ ମୂଳରୁ ହିଁ ରାଜ୍ୟରେ ନେତୃତ୍ୱ  ପରିବର୍ତ୍ତନ ହେବାର ଆଭାସ ମିଳିସାରିଥିଲା। 
You might also like