ଲକଡାଉନର ଚମତ୍କାର : ୟୁପିରୁ ଦିଶୁଛି ହିମାଳୟର ବରଫାବୃତ ପାହାଡ଼

ଲକ୍ଷ୍ନୌ : କରୋନାର ପ୍ରଥମ ଲହରୀ ଆଉ ଏବେ ଦ୍ୱିତୀୟ ଲହରୀ । ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକେ ଘରେ ସମୟ ବିତାଉଛନ୍ତି । ମହାମାରୀରେ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ଜୀବନ ଯାଇଛି, ଲୋକେ ଚାକିରି ହରାଇଛନ୍ତି, ଆଉ ଅନେକ ନିଜ ଲୋକଙ୍କୁ ହରାଇଛନ୍ତି । ଏହାରି ଭିତରେ ତାଲାବନ୍ଦର ଏକ ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ବାୟୁ ପ୍ରଦୂଷଣ କମିଛି । ଗାଡ଼ିମଟର ଚଳାଚଳ କମ୍ ଥିବାରୁ ଦେଶରେ ସ୍ୱଚ୍ଛ ବାୟୁ ପ୍ରବାହିତ ହେଉଛି । ପରିବେଶ ନଷ୍ଟ ବିଶ୍ୱ ପାଇଁ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ସଙ୍କଟର ଘଡ଼ିରେ ପ୍ରକୃତିର ପ୍ରକୃତ ମୂଲ୍ୟ ବୁଝି ପାରିଛି ମଣିଷ ସମାଜ । ବାୟୁ ଠାରୁ ଆରମ୍ଭ କରି ଶବ୍ଦ ଓ ଜଳ ପ୍ରଦୂଷଣ କମିଛି । ଲକଡାଉନ ପ୍ରଭାବରେ ୟୁପିରୁ ପୁଣି ଦିଶୁଛି ବରଫାବୃତ ପାହାଡ଼ ।

ଧଳା ଚାଦରରେ ଢ଼ାଙ୍କି ହୋଇଛି ପାହଡ଼ । ଦୂରରୁ ବେଶ ମନୋରମ ଦୃଶ୍ୟ ଦେଖିବାକୁ ମିଳୁଛି । ଆଇଏଫଏମ ଅଧିକାରୀ ରମେଶ ପାଣ୍ଡେ ଟ୍ୱିଟରରେ ବରଫାବୃତ ପାହାଡର ଏକ ଫଟୋ ସେୟାର କରିଛନ୍ତି । ସେ ତାଙ୍କ ଚିତ୍ର ମାଧ୍ୟରେ କହିଛନ୍ତି ଉତ୍ତରପ୍ରଦେଶ ସହାରନପୁରରୁ ହିମାଳୟର ବରଫ ପାହାଡ ଦେଖାଯାଉଛି । ବର୍ଷା ପରେ ଆକାଶ ପୂରା ସ୍ୱଚ୍ଛ ହୋଇଯାଇଛି ଏବଂ ଏକ୍ୟୁଆଇ ପାଖାପାଖି ୮୫ ରହିଛି । ଏହି ଫଟୋ କ୍ଲିକ୍ କରିଛନ୍ତି ଡକ୍ଟର ବିକେ ବାନାର୍ଜୀ ।

କେବଳ ସହାରନପୁରରୁ ନୁହେଁ ବରଂ ପଞ୍ଜାବର ଜଳନ୍ଧର ଠାରୁ ହିମାଳୟର ଧୌଲାଧାର ରେଞ୍ଜ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି । ଗତ ବର୍ଷ ଲକଡାଉନରେ ପାଗ ଏତେ ସ୍ୱଚ୍ଛ ଥିଲା ଯେ ଲୋକେ ଦିଲ୍ଲୀ ଏନସିଆରରେ ନୀଳ ଆକାଶ ଦେଖିବାକୁ ପାଇଥିଲେ । କାରଣ ବାୟୁ ପ୍ରଦୂଷଣ ପାଇଁ ସେଠାରେ ଖୋଳା ଆକାଶ ଦେଖିବା ଏକପ୍ରକାର ସ୍ୱପ୍ନ । ଏହା ବ୍ୟତୀତ ଶୂନଶାନ ସଡ଼କରେ କିଛି ଜଙ୍ଗଲୀ ଜନ୍ତୁ ଯିବାଆସିବାର ଦୃଶ୍ୟମ ଧ୍ୟ ଦେଖିବାକୁ ମିଳିଥିଲା ।

ସୁଚନାଯୋଗ୍ୟ କରୋନା ସଙ୍କଟ ମଧ୍ୟରେ ତିନି ଗୁଣା ଅଧିକ ସଚେତନ ହୋଇଛନ୍ତି ଭାରତୀୟ । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ ସର୍ଚ୍ଚ କରିବା ସହ ଅଧ୍ୟୟନ ଜାରି ରଖିଛନ୍ତି । ବିଭିନ୍ନ ପ୍ରଜାତିର ଉଦ୍ଭିଦ, ଗୁଳ୍ମ ଓ ପ୍ରାଣୀ ସମ୍ପର୍କରେ ଜାଣିବା ପାଇଁ ଦୁଇ ଗୁଣା ଅଧିକ ଚିନ୍ତା କରୁଛନ୍ତି ଲୋକେ । ବିଗତ ପାଞ୍ଚ ବର୍ଷରେ ପ୍ରକୃତିକୁ କମରୁ କମ କ୍ଷତି ପହଞ୍ଚାଉଥିବା ସମାଗ୍ରୀ ଖୋଜିବା, ୭୧ ପ୍ରତିଶତ ବଢ଼ିଯାଇଛି ।ୱାଇଲ୍ଡ ଲାଇଫ ଫଣ୍ଡ (ଡବ୍ଲ୍ୟୁୁଡବ୍ଲୁଏଫ୍) ର ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟର ନୂତନ ଅଧ୍ୟୟନ ଅନୁସାରେ ଏହି ତଥ୍ୟ ହସ୍ତଗତ ହୋଇଛି । ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପ୍ରସଙ୍ଗରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୧୬ ରୁ ୨୦୨୦ ମଧ୍ୟରେ ସାରା ବିଶ୍ୱରେ ପର୍ଯ୍ୟାବରଣରକୁ ନେଇ ଚିନ୍ତା କରୁଥିବା ନାଗରିକଙ୍କ ସଂଖ୍ୟା ୧୬% ବୃଦ୍ଧି ପାଇଛି।

You might also like