ଉଚ୍ଚତା ବଢାଇବା ଲାଗି ଖର୍ଚ୍ଚ କଲେ ୫୫ ଲକ୍ଷ

ଉଚ୍ଚତା ବଢ଼ାଇବା ଲାଗି ଅପରେସନ୍

ଉଚ୍ଚତା ବଢ଼ାଇବା ଲାଗି ଅପରେସନ୍

୫୫ ଲକ୍ଷ ଖର୍ଚ୍ଚ କଲେ, ୨ଇଞ୍ଚ ଡ଼େଙ୍ଗା ହେଲେ

ନିଜକୁ ସୁନ୍ଦର କରିବା ଲାଗି ଆଜିକାଲିର ଯୁବ ପୀଢ଼ି ଅନେକ ପ୍ରକାର କସମେଟିକ ବ୍ୟବହାର କରୁଛନ୍ତି। କେବଳ କସମେଟିକ କାହିଁକି? ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। କିଏ ପାର୍ଲରରେ ବସି ଫେସିଆଲ କରୁଛି ତ ଆଉ କିଏ ଡାକ୍ତରଙ୍କ ସହ ପରାମର୍ଶ କରି ବିଭିନ୍ନ ପ୍ରକାର ମେଡ଼ିସିନ ଖାଉଛି। କେବଳ ଏତିକି ନୁହେଁ ଅନେକ ପିଲା ଦୁଇ କଦମ ଆଗକୁ ଯାଇ ଆୟୁର୍ବେଦ ଡାକ୍ତରଙ୍କ ସହ ଯୋଗାଯୋଗ କରି ପ୍ରାକୃତିକ ଲେପ ମୁହଁରେ ମଧ୍ୟ ଲଗାଉଛନ୍ତି। ତେବେ ଜଣେ ଯୁବକ ନିଜର ସୌନ୍ଦର୍ଯ୍ୟ ଲାଗି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

ସୌନ୍ଦର୍ଯ୍ୟ ଲାଗି ଖର୍ଚ୍ଚ କଲେ ୫୫ ଲକ୍ଷ ଟଙ୍କା। ମୁହଁ ପାଇଁ ନୁହେଁ ବରଂ ଦେହ ଲାଗି ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିଛନ୍ତି ଜଣେ ଯୁବକ। ଆମେରିକାର ଡେଲାସରେ ରହୁଥିବା ଯୁବକ ଜଣକ ନିଜର ଉଚ୍ଚତା ବୃଦ୍ଧି କରିବା ଲାଗି ଏତେ ସାରା ଟଙ୍କା ଖର୍ଚ୍ଚ କରିଥିବା ନେଇ ସୂଚନା ରହିଛି। ଡେଲାସରେ ରହୁଥିବା ଫ୍ଲୋର୍ସଙ୍କ ଉଚ୍ଚତା ୫ଫୁଟ ୧୧ଇଞ୍ଚ ଥିଲା। କିନ୍ତୁ ସେ ନିଜ ଉଚ୍ଚତାରେ ସନ୍ତୁଷ୍ଟ ନଥିଲେ। କେମିତି ବି ହେଉ ତାଙ୍କର ଉଚ୍ଚତା ବଢ଼ାଇବା ଲାଗି ଚିନ୍ତାରେ ରହୁଥିଲେ ଫ୍ଲୋର୍ସ। ଦିନେ ନିଜର ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ଏ ସମ୍ପର୍କରେ କଥା ହେବା ପରେ ଅପରେସନ ପରେ ନିଜର ଉଚ୍ଚତା ବଢାଇବାକୁ ନିଷ୍ପତ୍ତି ନେଲେ।

ବ୍ୟୟବହୁଳ ଥିଲା ଅସ୍ତ୍ରୋପଚାର

ଅସ୍ତ୍ରୋପଚାର ପରେ ଫ୍ଲୋର୍ସଙ୍କ ଉଚ୍ଚତା ମଧ୍ୟ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ତାଙ୍କ ଉଚ୍ଚତା ୫ଫୁଟ ୧୧ଇଞ୍ଚ ରହିଥିବା ବେଳେ ଅସ୍ତ୍ରୋପଚାର ପରେ ୬ଫୁଟ ୧ଇଞ୍ଚ ହୋଇଯାଇଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।

ଫ୍ଲୋର୍ସ ନିଜ ଉଚ୍ଚତାକୁ ନେଇ ସନ୍ତୁଷ୍ଟ ନଥିଲେ। ସେ ତାଙ୍କ ଉଚ୍ଚତା କିପରି ବୃଦ୍ଧି କରିବେ ସେ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ ଅନେକ ବ୍ୟାୟାମ ବି କରୁଥିଲେ। ମିଳିଥିବା ସୂଚନା ଅନୁସାରେ, ୨୮ବର୍ଷୀୟ ଫ୍ଲୋର୍ସ ଜଣେ ଡାକ୍ତରୀ ଛାତ୍ର।

ଭାଇରାଲ ହେଲା ଫ୍ଲୋର୍ସଙ୍କ ଫଟୋ

ଏହି ଅସ୍ତ୍ରୋପଚାର ଭେଗାସସ୍ଥିତ, ‘ଦ ଲିମ୍ବପ୍ଲେକ୍ସ ଇନଷ୍ଟିଚ୍ୟୁଟ’ର ହାୱର୍ଡ-ପ୍ରଶିକ୍ଷିତ ଅର୍ଥୋପେଡିକ ସର୍ଜନ ଡାକ୍ତର କେବିନ ଦେବୀପ୍ରସାଦ କରିଛନ୍ତି। ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ସମ୍ବେଦନଶୀଳ ଓ ବ୍ୟୟବହୁଳ ମଧ୍ୟ ଥିଲା। ହେଲେ ଅସ୍ତ୍ରୋପଚାର ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫ୍ଲୋର୍ସଙ୍କ ଫଟୋ। ଫଟୋରେ ଯୁବକଙ୍କ ବୃଦ୍ଧି ପାଇଥିବା ଉଚ୍ଚତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଡାକ୍ତରଙ୍କ କହିବା ଅନୁସାରେ, ଫ୍ଲୋସଙ୍କ ଉଚ୍ଚତା ବୃଦ୍ଧି ପାଇଁ ତାଙ୍କ ଜଙ୍ଘ ହାଡର ଲମ୍ବ ବଢ଼ା ଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରା ୬ ଇଞ୍ଚ ପର୍ଯ୍ୟନ୍ତ ଉଚ୍ଚତା ବୃଦ୍ଧି କରାଯାଇପାରେ ବୋଲି ଫ୍ଲୋର୍ସଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି। ତେବେ ମୋଟ ଉପରେ କହିବାକୁ ଗଲେ ଏପରି ଅସ୍ତ୍ରୋପଚାର କିଏ କେବେ କରିବେ ବୋଲି ସ୍ୱପ୍ନରେ ଭାବିନଥାନ୍ତି କିନ୍ତୁ ନିଜର ଉଚ୍ଚତା ବୃଦ୍ଧି କରିବା ଲାଗି ଫ୍ଲୋର୍ସ ଏମିତି କରି ଚର୍ଚ୍ଚାରେ ରହିଛନ୍ତି।

You might also like