ଦେଶରେ ଅଣାୟତ କରୋନା ସ୍ଥିତି : ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ

ଗୋଟିଏ ଦିନରେ ଲକ୍ଷେ ୮୪ ହଜାରରୁ ଅଧିକ ପଜିଟିଭ, ଦିନକରେ ୧୦୨୭ ମୃତ୍ୟୁ

ନୂଆଦିଲ୍ଲୀ : ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି ।  ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚିଛି ।

ସେହିପରି ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫କୁ ବୃଦ୍ଧି ପାଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୫ ହଜାର ୭୦୪ ଥିବାବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୨୩ ଲକ୍ଷ ୩୬ ହଜାର ୦୩୬ ଜଣ ।  ଦେଶରେ ଏଯାବତ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଡୋଜ୍ ଟିକାକରଣ ହୋଇଛି।

ଦେଶରେ କରୋନା ସ୍ଥିତି

ସେପଟେ ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା ।  ରାଜ୍ୟରେ କରୋନା କାୟାକୁ ଦେଖି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ରାତି ୮ଟାରୁ ଏହି କଟକଣା ଆସନ୍ତା ୧୫ ଦିନ ପାଇଁ ଲାଗୁ ରହିବ । କରୋନାର ବ୍ରେକ୍ ଦ ଚେନ୍ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ କହିଛନ୍ତି । ପୂରା ମହାରାଷ୍ଟ୍ରରେ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ବିନା କାରଣରେ ଲୋକେ ଘରୁ ନବାହାରିବାକୁ ଅପିଲ କରିଛନ୍ତି ଉଦ୍ଧବ। ରେଷ୍ଟୁରାଣ୍ଟରେ ଖାଇବା ଉପରେ କଟକଣା ଲାଗିଥିବା ବେଳେ ହୋମ୍ ଡେଲିଭେରିକୁ ଅନୁମତି ମିଳିଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ୍ ଏହି ୧୫ ଦିନ ବନ୍ଦ ରହିବ । ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ  । ଗଣମାଧ୍ୟମ ପ୍ରତିନିଧିଙ୍କ ଯିବାଆସିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ଦେଶରେ କେତେ ରୋଗୀ ଚିକିତ୍ସାଧୀନ ଅଛନ୍ତି, ଜାଣନ୍ତୁ

ଅନ୍ୟପଟେ ସଂକ୍ରମଣ ବଢ଼ୁଥିବା ବେଳେ ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ପଳାୟନ ଜାରି ରହିଛି ।  କରୋନା ସ୍ଥିତି ନେଇ ଆଜି ରାତି ୮ଟାରୁ କର୍ଫ୍ୟୁ ଜାରି ହେଉଥିବାବେଳେ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ର ଛାଡୁଛନ୍ତି । ଗତତାଲି ରାତିରେ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲରେ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରିଥିଲେ । ମୁମ୍ବାଇର ବିଭିନ୍ନ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଧାଡି ଲଗାଇ ଷ୍ଟେସନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ଦେଶରେ କେଉଁ ରାଜ୍ୟରେ କେତେ ଲୋକ ଟିକା ନେଇଛନ୍ତି, ଜାଣନ୍ତୁ
You might also like