ସଂକ୍ରମଣ ସଂଖ୍ୟା କମୁଛି ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍‌: ଜାଣନ୍ତୁ କେଉଁ ରାଜ୍ୟରେ କେତେ ମୁଣ୍ଡ ନେଲାଣି ମହାମାରୀ…

ବଢୁଛି ମୃତ୍ୟୁସଂଖ୍ୟା

ମହାରାଷ୍ଟ୍ର: ଟେନ୍‌ସନ୍‌ ଦେଉଛି କରୋନା। ଦେଶରେ ସଂକ୍ରମଣର ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନା ନେଉନାହିଁ। ଗତ ୪ ଦିନ ହେବ ଦେଶରେ ୨ ଲକ୍ଷ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଲଗାତାର ୧୮ ଦିନ ହେବ ସଂକ୍ରମଣ କମିବାରେ ଲାଗିଛି। ସୂଚନା ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିଛି। କେବଳ ମେ ମାସରେ ଦେଶରେ ୧,୧୭,୨୮୯ ଜଣଙ୍କର ମୃତ୍ୟୁ ହୋଇଛି। ମେ ମାସରେ କେବଳ ମହାରାଷ୍ଟ୍ରରେ ୨୬ ହଜାର ଲୋକଙ୍କ ଜୀବନ ଯାଇଛି ବୋଲି ଜଣାପଡ଼ିଛି। ଗୋଟିଏ ପଟେ ସରକାର କହୁଛନ୍ତି, ଦେଶରେ ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟା ଯେପରି ଭାବରେ ବଢୁଛି ତାହାକୁ ଦୃଷ୍ଟି ଦେଲେ ଚିନ୍ତା ବଢୁଛି। ଜାତୀୟ ଗଣମାଧ୍ୟରୁ ମିଳିଥିବା ସୂଚନା ଅନୁସାରେ, ନଜର ପକାନ୍ତୁ କେଉଁ ରାଜ୍ୟର କେତେ ଜଣଙ୍କ ଯାଇଛି ଜୀବନ…

ମହାରାଷ୍ଟ୍ର- ଏପ୍ରିଲ ୩୦ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୬୮,୫୧୩ ମୃତ୍ୟୁ ହୋଇଥିଲା। ରାଜ୍ୟର ମୃତ୍ୟୁ ହାର ୧.୪୯ ଥିଲା। ଏହାପରେ ମେ ୩୦ ବେଳକୁ ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୯୪,୮୪୪କୁ ବୁଦ୍ଧି ପାଇଛି। ସାରା ଦେଶରେ ମହାରାଷ୍ଟ୍ରରେ ସଂକ୍ରମଣ ଭୟାନକ ରୂପ ଧାରଣ କରିଥିଲା। କିନ୍ତୁ ଏବେ ରାଜ୍ୟରେ ସଂକ୍ରମଣ କମିଛି।

କର୍ଣ୍ଣାଟକ-  କର୍ଣ୍ଣାଟକରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିଛି। ରାଜ୍ୟରେ ମାତ୍ର କେଇ ଦିନରେ ସଂକ୍ରମଣର ସଂଖ୍ୟା ଭୟଙ୍କର ଭାବରେ ବୃଦ୍ଧି ପାଇଥିଲା। ମେ ୧ ତାରିଖ ଠାରୁ ୩୦ ତାରିଖ ଭିତରେ ରାଜ୍ୟରେ ୧୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ମେ ମାସର ବୃଦ୍ଧି ପାଇଛି। କେବଳ ମେ ମାସରେ ରାଜ୍ୟରେ ୧୩, ୧୫୬ ଜଣଙ୍କର କରୋନାରେ ଜୀବନ ଯାଇଥିବା ବେଳେ ମୃତ୍ୟୁ ହାର ୧.୨୩ ପ୍ରତିଶତ ରହିଛି।

ନୂଆଦିଲ୍ଲୀ- ଦିଲ୍ଲୀରେ ତାଣ୍ଡବ ରଚିଥିଲା କରୋନାର ଦ୍ୱିତୀୟ ଲହର। ସ୍ଥିତି ଏମିତି ହୋଇଥିଲା ଯେ, ଅନେକ ଲୋକ କେବଳ ଅକ୍ସିଜେନ୍‌ ପାଇଁ ପ୍ରାଣ ହରାଇଥିଲେ। ସ୍ଥାନୀୟ ସରକାର ବାଧ୍ୟ ହୋଇ ଲକଡାଉନ୍‌ କରିଥିଲେ। ମେ ମାସରେ ରାଜଧାନୀରେ ୭,୯୨୨ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହାର ବଢ଼ି ୨.୮୯ ହୋଇଛି।

ତାମିଲନାଡୁ- ଏଠାରେ ମଧ୍ୟ ଏପ୍ରିଲ ୩୦ ସୁଦ୍ଧା ମୋଟ ୧୪,୦୪୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମେ ୩୦ ସୁଦ୍ଧା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୩,୭୫୪  ହୋଇଥିଲା। ଫଳରେ ମେ ମାସରେ ରାଜ୍ୟରେ ୯,୭୦୮ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ମୃତ୍ୟୁ ହାର ବଢି ୧.୦୭ ପ୍ରତିଶତ ରହିଛି।

ଉତ୍ତରପ୍ରଦେଶ- କରୋନା ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ମଧ୍ୟ ଚର୍ଚ୍ଚାରେ ରହିଛି। କାରଣ ରାଜ୍ୟର ସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ଶବ ଦାହ କରିବା ଲାଗି ସ୍ଥାନ ପାଇଲେ ନାହିଁ। ଯିଏ ଯେଉଁଠାରେ ପାଇଲେ ସେଠାରେ ହିଁ ଶବ ଦାହ କଲେ। ଆଉ କେତେକ ଲୋକ ସିଧା ଗଙ୍ଗାରେ ଶବ ଭସାଇ ଦେଲେ। କେବଳ ମେ ମାସରେ ୭,୭୭୬ ଜଣଙ୍କର ଜୀବନ ନେଇ ମହାମାରୀ। ମେ ୧ ତାରଖରୁ ୩୦ ତାରିଖ ମଧ୍ୟରେ ମୃତ୍ୟୁହାର ୧.୭୮ ପ୍ରତିଶତ ରହିଛି।

ପଶ୍ଚିମବଙ୍ଗ- ଏପ୍ରିଲ ୩୦ ଭିତରେ ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା ୧୧,୩୪୪ ଥିଲା। ମେ ମାସରେ ଏହି ସଂଖ୍ୟା ବଢି ୧୫,୪୧୦ ହୋଇଛି। ଅର୍ଥାତ କେବଳ ମେ ମାସରେ ରାଜ୍ୟରେ ୪.୦୬୬ ଜଣଙ୍କର ମୃତ୍ୟୁ ହୋଇଥିବା ମୃତ୍ୟୁ ହାର ୦.୭୫ ପ୍ରତିଶତ ରହିଛି।

You might also like