ଅପେକ୍ଷାର ହେଲା ଅନ୍ତ, ଆସିଲା ନିର୍ବାଚନ ଫଳାଫଳ

ତାମିଲନାଡୁରେ ଷ୍ଟାଲିନ୍ ରାଜ

ନୂଆଦିଲ୍ଲୀ: ତାମିଲନାଡୁରେ ଷ୍ଟାଲିନ୍ ରାଜ। ପ୍ରଦିଦ୍ୱନ୍ଦ୍ୱୀ AIADMKକୁ ହରାଇ ସ୍ପଷ୍ଟ ବହୁମତ ଆଡକୁ DMK। ଏଥିସହିତ ପୂରଣ ହେବାକୁ ଯାଉଛି କରୁଣାନିଧିଙ୍କ ପୁଅ ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ। ଅନ୍ୟତମ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଭଳି ତାମିଲନାଡୁରେ ବି ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଥିଲା। ତେବେ ୨୦୧୬ରେ ଏହି ଟ୍ରେଣ୍ଡରେ ବ୍ରେକ୍ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା। କ୍ରମାଗତ ଦ୍ୱିତୀୟ ଥର କ୍ଷମତା ହାତେଇ ସୃଷ୍ଟି କରିଥିଲେ ଇତିହାସ। ତେବେ ଆମ୍ମାଙ୍କ ମୃତ୍ୟୁ ପରେ ଓ. ପନିରସେଲଭମ୍ ଏବଂ ପରେ ଇକେ.ପାଲାନିିସ୍ୱାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ।

ତେବେ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳାଙ୍କ ବିରୁଦ୍ଧରେ ଚାଲିଥିବା ଦୁର୍ନୀତି ମାମଲା ଓ ତାଙ୍କ ପୁତୁରା ଟିଟିଭି ଦିନାକରନଙ୍କୁ ନେଇ AIADMKରେ ସୃଷ୍ଟି ହୋଇଥିଲା ଝଡ଼। ଦଳୀୟ ବିବାଦ ଓ ସରକାରୀ ବିରୋଧୀ ହାଓ୍ୱା ଭିତରେ ବିଜେପି ଓ ପିଏମକେ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା AIADMK। ଅନ୍ୟପକ୍ଷରେ DMKକୁ ବିପୁଳ ବହୁମତ ମିଳିବ ବୋଲି ପୂର୍ବନୁମାନ କରାଯାଇଥିଲେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଛି AIADMK। ତାମିଲନାଡୁ ବିଧାନସଭାର ୨୩୪ ଆସନ ମଧ୍ୟରୁ ଶେଷ ଖବର ସୁଦ୍ଧା ଡିଏମକେ ୧୪୦ ଆସନରେ ଆଗୁଆ ରହିଛି।

ଏପଟେ ଟଳିଛି ଦକ୍ଷିଣ ଭାରତରେ କଂଗ୍ରେସର ଶେଷ ଦୁର୍ଗ। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ୟୁପିଏ ମେଣ୍ଟ ହାତରୁ କ୍ଷମତା ଛଡାଇ ନେଇଛି ଏନଡିଏ। ପୁଡୁତେରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀଙ୍କ ଅଲ ଇଣ୍ଡିଆ ଏନ.ଆର କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢୁଥିଲା ବିଜେପି। ତେବେ ନିର୍ବାଚନ ପୂର୍ବରୁ ଏଠାରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାରୁ ବିଜେପିକୁ ଫାଇଦା ମିଳିଛି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଏଠିବି କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡିଛି। ଦଳରେ କନ୍ଦଳ ଏଭଳି ସ୍ଥିତିରେ ପହଞ୍ଚିଥିଲା ଯେ ମୁଖ୍ୟମନ୍ତ୍ରୀ ଭି, ନାରାୟଣସ୍ୱାମୀଙ୍କୁ ବି ଟିକଟ ମିଳିନଥିଲା।

ଆଉ କେରଳରେ ଇତିହାସ ସୃଷ୍ଟି କଲା ଲେଫ୍ଟଟ ଡେମୋକ୍ରାଟିକ୍ ଫ୍ରଣ୍ଟ-LDF। ପ୍ରଥମ ଥର ଲାଗି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି। ବାମମେଣ୍ଟ ମୁଖ୍ୟମନ୍ତ୍ରୀ ପିନରୟ ବିଜୟନ ନେତୃତ୍ୱରେ ମେଣ୍ଟ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୧୯୫୭ ମସିହାଠାରୁ ରାଜ୍ୟରେ କୌଣସି ଦଳ ଦ୍ୱିତୀୟ ଥର ଲାଗି କ୍ଷମତା ଅକ୍ତିଆର କରିପାରିନଥିଲା। ପ୍ରତି ୫ ବର୍ଷରେ ରାଜ୍ୟରେ କ୍ଷମତା ପରିବର୍ତ୍ତନର ଟ୍ରେଣ୍ଡ ଥିଲେ ମଧ୍ୟ ଏଥିରୁ ଫାଇଦା ନେବାରେ ବିଫଳ ହୋଇଛି କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟକୁ-UDF କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳ ଉପରେ ଫୋକସ କରିବା ସହ ଦଳକୁ ବିଜୟୀ କରିବା ଲାଗି ଜୋରଦାର ଉଦ୍ୟମ କରିଥିଲେ। ଏଠାରେ ଡେରା ପକାଇବା ସହ ମାରାଥନ ପ୍ରଚାର ବି କରିଥିଲେ।

ଏହାସତ୍ତ୍ୱେ କେରଳବାସୀ ଆସ୍ଥାଭାଜନ ହେବାରେ ଫେଲ ମାରିଛନ୍ତି ରାହୁଲ। ଦଳୀୟ କନ୍ଦଳ ଏଠାରେ ବି କଂଗ୍ରେସ ପାଇଁ ଘାତକ ହୋଇଥିବା କୁହାଯାଉଛି। ଟମ୍ ଭଡକମଙ୍କ ଭଳି ପୁରୁଖା ନେତା ଆଗରୁ ଦଳ ଛାଡିଥିବା ବେଳେ ପିସି ଚାକୋଙ୍କ ଭଳି ପ୍ରଭାବଶାଳୀ ନେତା ନିର୍ବାଚନ ପୂର୍ବରୁ ଦଳକୁ ବାୟ ବାୟ କହିଥିଲେ। ହାଇକମାଣ୍ଡ ଉପଯୁକ୍ତ ଲୋକଙ୍କୁ ଉଚିତ୍ ଦାୟିତ୍ୱ ଦେଉନଥିବା ସେ ଅଭିଯୋଗ କରିଥିଲେ। ଏଣେ ସୁନା ସ୍ମଗଲିଂ ସମେତ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ କେରଳବାସୀ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି।

You might also like