ଚନ୍ଦ୍ରପୃଷ୍ଠରେ ଠାବ ହେଲା ପ୍ରଜ୍ଞାନ!

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନର ୧୦ ମାସ ପରେ ପୁଣି ଚର୍ଚ୍ଚାରେ ରୋଭର୍ ପ୍ରଜ୍ଞାନ। ବିକ୍ରମ୍ ଲ୍ୟାଣ୍ଡର ଧ୍ୱଂସ ହେବା ସତ୍ତ୍ୱେ, ଚନ୍ଦ୍ରପୃଷ୍ଠରେ ରୋଭର୍ ପ୍ରଜ୍ଞାନ କିଛି ବାଟ ଗଡ଼ିଥିଲା ବୋଲି ଦାବି କରିଛନ୍ତି ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟର୍ ସାନମୁଗା ସୁବ୍ରମଣ୍ୟମ। ନାସା ଦ୍ୱାରା ଉଠାଯାଇଥିବା ଫଟୋରୁ ରୋଭର୍ ସୁରକ୍ଷିତ ଥିବା ଏବଂ କିଛି ମିଟର ଗଡ଼ିଥିବା ଜଣାପଡ଼ୁଛି।

ରୋଭର୍ ଗଡ଼ିବାର ଟ୍ରାକ୍ ବା ଚିହ୍ନ ମଧ୍ୟ ଫଟୋରେ ଦେଖାଯାଉଥିବା ସେ ଦାବି କରି ଇସ୍ରୋକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି ଯେ, ଏନେଇ ନାସା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।  ତେବେ ସାନଙ୍କ ସୂଚନା ଉପରେ ଇସ୍ରୋ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨କୁ ଗତବର୍ଷ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିଲା।  ଲ୍ୟାଣ୍ଡର୍ ବିକ୍ରମ ସେଠାରେ ସଫ୍ଟ ଲ୍ୟାଣ୍ଡ କରିବା ପରେ ରୋଭର୍ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପାଇଁ ଗଡ଼ିବାର ଥିଲା।  ତେବେ ସଫ୍ଟଲ୍ୟାଣ୍ଡ୍ କରିବାର ମାତ୍ର କେଇ ମିନିଟ ପୂର୍ବରୁ ଲ୍ୟାଣ୍ଡର୍ ବିକ୍ରମ ସହ ଇସ୍ରୋ ଗ୍ରାଉଣ୍ଡ୍ ଷ୍ଟେସନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ସେତେବେଳେ ସମ୍ପୃକ୍ତ ଯୁବ ବୈଜ୍ଞାନିକ ସାନ୍ ନାସା ସହ ଯୋଗାଯୋଗ କରି, ଲ୍ୟାଣ୍ଡର୍ କ୍ରାଶ୍ ହୋଇଥିବା ସ୍ପଷ୍ଟ କରାଇଥିଲେ।

ତେବେ ଲ୍ୟାଣ୍ଡର୍ ବିକ୍ରମ କ୍ରାଶ୍ କରିବା ସତ୍ତ୍ୱେ ରୋଭର୍ କିପରି ଗଡ଼ିଲା ସେନେଇ ପ୍ରଶ୍ନ ଉଠିଥିବା ବେଳେ, ସାନ୍ ଅନୁମାନ କରିଛନ୍ତି ଯେ, ଚନ୍ଦ୍ରଯାନ ସହ ଯୋଗାଯୋଗ ସ୍ଥାପନ ପାଇଁ ସେତେବେଳେ ଇସ୍ରୋ ବିଭିନ୍ନ ପ୍ରକାର ସିଗନାଲ ପଠାଇଥିଲା  ହୁଏତ ରୋଭର୍ ପ୍ରଜ୍ଞାନ ସେହି ସିଗନାଲ୍ ପାଇ କିଛି ମିଟର ଗଡ଼ିଛି।

You might also like