ବର୍ଷା ବିତ୍ପାତ : ଉତ୍ତରପ୍ରଦେଶରେ ଗଲାଣି ୪୦ରୁ ଅଧିକ ଲୋକ ପ୍ରାଣ

ଫୁଲିବାରେ ଲାଗିଛି ଯମୁନା ନଦୀ

ନୂଆଦିଲ୍ଲୀ: କେଉଁଠି ଘରର କାନ୍ଥ ପଡ଼ି ତ ଆଉ କେଉଁଠି ବନ୍ୟା ପାଣିରେ ଭାସି ଯାଇଛନ୍ତି ଲୋକେ। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି। ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଏକର ଫସଲ ନଷ୍ଟ ହେବାକୁ ବସିଛି। ମୁଖ୍ୟତଃ ପଶ୍ଚିମ ୟୁପିରେ ପରିସ୍ଥିତି ସଙ୍ଗୀନ ରୂପ ନେଇଛି। ସାହାରନ୍‌ପୁରରେ କାନ୍ଥ ଭୁସୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା। ତେବେ ମେଡିକାଲ୍ ଟିମ୍ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ସେହିପରି ଆଗ୍ରାରେ ୬ ଜଣ, ମୈନପୁର ଏବଂ ମେରଠରେ ୮ ଜଣଙ୍କ ଉପରେ କାନ୍ଥ ପଡ଼ି ପ୍ରାଣ ଯାଇଛି।

ସେପଟେ ଫୁଲିବାରେ ଲାଗିଛି ଯମୁନା ନଦୀ। ଦିଲ୍ଲୀ ନିକଟରେ ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆଜି ଅପରାହ୍ନ ସୁଦ୍ଧା ଦିଲ୍ଲୀର ପୁରୁଣା ରେଲ୍‌ୱେ ବ୍ରିଜ୍ ନିକଟରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ଏଥିପାଇଁ ନଦୀ କୂଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୁହାଯାଇଛି। ଦିଲ୍ଲୀରେ ବର୍ଷାର ପରିମାଣ କମିଥିବା ବେଳେ ଯମୁନାର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ତେଣୁ ଏନେଇ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଗତ ଦୁଇ ଦିନ ଧରି ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏନ୍‌ସିଆର୍ ବସୁନ୍ଧରା ଅଞ୍ଚଳରେ ରାସ୍ତା ଧସି ଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ସେହି ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।

You might also like