ଭାକ୍ସିନ ନେବା ପରେ ବି କରୋନା ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍‌ ମୋଡ୍‌ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭାକ୍ସିନର ୨ଟି ଡୋଜ ନେଇ ସାରିବା ପରେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି।

ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ରର ଜାଲନାରେ ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ ଭାକ୍ସିନର ୨ଟି ଡୋଜ ନେଇଛନ୍ତି। ଏହା ପରେ ତାଙ୍କର କରୋନା ନମୂନା ପରୀକ୍ଷା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା, ଦୁହଁଙ୍କର ପଜିଟିଭ ଆସିଛି । ତେବେ ଦୁହିଁଙ୍କ ଠାରେ କରୋନାର ଖୁବ୍‌ କମ୍‌ ଲକ୍ଷଣ ରହିଥିବା ଜଣାଯାଇଛି।

ସ୍ଥାନୀୟ ଆଡିସନାଲ ସର୍ଜନ ପଦ୍ମଜା ସରାଫ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଭାକ୍ସିନ ନେବାର ପ୍ରାୟ ୪୨ ଦିନ ପରେ ଶରୀରରେ ଆଣ୍ଟିବଡି ଡେଭଲପ ହୋଇଥାଏ। ଏହି ସମୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ଏଥି ସହିତ କୋଭିଡ କଟକଣା ମଧ୍ୟ ପାଳିବା ଜରୁରୀ।

ସୂଚନାଥାଉ କି, ମହାରାଷ୍ଟ୍ରରେ ଇତି ମଧ୍ୟରେ କରୋନା ମାମଲା ବଢି ବଢି ଚାଲିଛି। ଗତକାଲି ଦେଶରେ ୧୪ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି ଯାହାକି ଚଳିତବର୍ଷର ଏକ ରେକର୍ଡ ସଂଖ୍ୟା। କେବଳ ଜାଲନା ଜିଲ୍ଲାରା ୨୦୪ ନୂଆ ମାମଲା ସାମ୍ନାକୁ ଆସିଛି।

ଏଠି କହିରଖିବୁ, ପଶ୍ଚିମବଙ୍ଗରେ ଦୁଇ ଜଣ ବରିଷ୍ଠ ନାଗରିକଙ୍କର କରୋନାରେ ମୃତ୍ୟୁ ଘଟିଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ,  ଦୁହିଁଙ୍କୁ କରୋନା ଭାକ୍ସିନ ଡୋଜ ଦିଆଯାଇଥିଲା।  ଘଟଣାର ଯାଞ୍ଚ କରାଯାଉଛି।

ତେବେ ପ୍ରାଥମିକ ତଦନ୍ତରୁ ଉଭୟଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଯାଞ୍ଚ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ।

ସୂଚନାଥାଉ କି, ଗତ କିଛି ଦିନ ହେବ ଦେଶରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଛି।  ଆଜି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି। ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ।

ମହାରାଷ୍ଟ୍ରରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସରକାର ନାଗପୁରରେ ଲକଡାଉନ ଘୋଷଣା କରିଥିବାବେଳେ ଔରଙ୍ଗାବାଦରେ ଆଜିଠାରୁ ନାଇଟ କର୍ଫ୍ୟୁ ଆରମ୍ଭ କରାଯାଇଛି।

ଏଠି କହିରଖୁବୁ, ଦେଶରେ ଗତ ୨୪ ଘଣ୍ଟାରେ ୨୩, ୨୮୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୩, ୦୮, ୮୪୬ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧, ୦୯, ୫୩, ୩୦୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆଜି ସୁଦ୍ଧା ଆକ୍ଟିଭ କେସ ଅଛି ୧, ୯୭, ୩୦୬।

ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୫୮, ୩୦୬ ରହିଛି।

You might also like