ଦେଶରେ କରୋନା ଆରୋଗ୍ୟ ହାର ୬୪.୪%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ସୁଧୁରିଛି କରୋନା ପରିସ୍ଥିତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪%କୁ ବୃଦ୍ଧି ପାଇଛି ବୋଲି ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓଏସ୍‌ଡି ରାଜେଶ ଭୂଷଣ। ଅପ୍ରେଲ ମାସରେ ଆରୋଗ୍ୟ ହାର ୭ ଦଶମିକ ୮୫ ପ୍ରତିଶତ ଥିବା ବେଳେ ଏବେ ଏହା ୬୪ ପ୍ରତିଶତରୁ ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

୧୬ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସୁସ୍ଥ ହାର ୮୮% ରହିଥିବା ବେଳେ ଲଦାଖରେ ୮୦%, ଆସାମରେ ୭୬ ପ୍ରତିଶତ ରହିଛି। ସେହିପରି ତେଲେଙ୍ଗାନାରେ ୭୪% ପ୍ରତିଶତ ଆରୋଗ୍ୟ ହାର ଥିବା ବେଳେ ତାମିଲନାଡ଼ୁ ଓ ଗୁଜରାଟରେ ୭୩ ପ୍ରତିଶତ ଆରୋଗ୍ୟ ହାର ରହିଛି। ରାଜସ୍ଥାନର ଆରୋଗ୍ୟ ହାର ୭୦%, ମଧ୍ୟପ୍ରଦେଶର ୬୯% ଏବଂ ଗୋଆରେ ୬୮ ପ୍ରତିଶତ ଆରୋଗ୍ୟ ହାର ରହିଛି ବୋଲି ରାଜେଶ ଭୂଷଣ ସୂଚନା ଦେଇଛନ୍ତି।

ସେହିପରି ଦେଶରେ ମୃତ୍ୟୁହାର କମିବା ନେଇ OSD କହିଛନ୍ତି, ଜୁନ୍‌ରେ ମୃତ୍ୟୁ ହାର ୩.୩୩% ଥିଲା, ଏବେ ଏହା ୨.୨୧ ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ୱରେ ସର୍ବନିମ୍ନ ରହିଛି ବୋଲି ସେ କହିଛନ୍ତି।

ଓଡ଼ିଶା ଭଳି କିଛି ରାଜ୍ୟରେ ମୃତ୍ୟୁହାର ୧%ରୁ ବି କମ୍ ରହିଛି। ତେବେ ଓଡ଼ିଶାରେ କରୋନା ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୮୧ ଲକ୍ଷ ୯୦ ହଜାର ଟେଷ୍ଟ ହୋଇଥିବା ବେଳେ ୧୦ ଲକ୍ଷ ୨୦ ହଜାର ସୁସ୍ଥ ହେଲେଣି ଓ ୫.୮୮ ଲକ୍ଷ ଏବେ ବି ଚିକିତ୍ସାଧୀନ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓଏସ୍‌ଡି ସୂଚନା ଦେଇଛନ୍ତି।

 

 

You might also like