କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରାଣ ରକ୍ଷାକାରୀ ପ୍ରୋନିଂ : ମେଡିକାଲ ନଯାଇ ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ

ସହଜ ଉପାୟରେ ଆରାମ ପାଇପାରିବେ କୋଭିଡ୍ ଆକ୍ରାନ୍ତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଆକସ୍ମିକ ଭାବେ ହୁହୁ ବଢିବା କାରଣରୁ ସ୍ୱାସ୍ଥ୍ୟ ଭିତ୍ତଭୂମି ଉପରେ ବଢିଛି ଚାପ । ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢୁଥିବାରୁ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବା ସମମ୍ଭ ହେଉନି । ଖାସ୍ କରି ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଗୁରୁତର ସମସ୍ୟା ସୃଷ୍ଟି କରିଛି ୧ ଏଭଳିି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା କିଭଳି ଆରାମ ପାଇପାରିବେ, ତାର ଉପାୟ ବତାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ, ଯାହାକୁ କୁହାଯାଉଛି ପ୍ରୋନିଂ ।

କୃତ୍ରିମ ଅକ୍ସିଜେନ ବିନା ବି ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ । ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଅତି ସହଜ ଓ ସରଳ ଉପାୟରେ ଆରାମ ପାଇପାରିବେ କୋଭିଡ୍ ଆକ୍ରାନ୍ତ । ତେଣୁ ଆବଶ୍ୟକ ନଥିଲେ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା କରିବା ସହ ଏହି ସରଳ ଉପାୟ ଆପଣେଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଡାକ୍ତରୀ ଭାଷାରେ ଏହାକୁ କୁହାଯାଉଛି ପ୍ରୋନିଂ । ପିଠିରୁ ପେଟ ଯାଏଁ ଶରୀରର ମୁକ୍ତ ଚଳନକୁ ପ୍ରୋନିଂ କୁହାଯାଏ ।

hindustantimes
ପ୍ରୋନିଂ ଦ୍ୱାରା ଶରୀରରେ ଆପେ ଆପେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରବେଶ କରେ(hindustantimes)

ଏହି ଚିତ୍ରକୁ ଦେଖିଲେ ପ୍ରୋନିଂ କଣ ସହଜରେ ବୁଝାପଡିବ । ଏହି ଉପାୟରେ ଶୋଇବା ଦ୍ୱାରା ବାୟୁ କୋଷିକାଗୁଡିକ ଖୋଲି ଯାଆନ୍ତି । ଫଳରେ ଶରୀରରେ ଆପେ ଆପେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରବେଶ କରେ ଓ ଶ୍ୱାସକ୍ରିୟାରେ ବାଧା ଥିଲେ ତାହା ଦୂର ହୋଇଥାଏ । ତେବେ ହୃଦରୋଗୀ, ଗର୍ଭବତୀ ମହିଳା ଓ ମେରୁଦଣ୍ଡରେ କଷ୍ଟ ଭୋଗୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଉପାୟ ଆପଣାଇବାକୁ ବାରଣ କରାଯାଇଛି । ସେହିଭଳି ଖାଦ୍ୟ ଖାଇବା ପରେ ବି ପ୍ରୋନିଂ ବିଧି ସଂଗତ ନୁହେଁ । ଶରୀରରେ ଅମ୍ଳଜାନ ପରିମାଣ ୯୫ ପ୍ରତିଶତରୁ ହ୍ରାସ ପାଇଲେ ହିଁ ପ୍ରୋନିଂ କରାଯିବା ଉଚିତ୍ ବୋଲି କୁହାଯାଇଛି ।

ନିରନ୍ତର ମେଡିକାଲ୍ ଅକ୍ସିଜେନ୍ ନେଲେ ହିଁ କରୋନା ରୋଗୀଙ୍କୁ ଆରାମ ମିଳିବା ଧାରଣା ଭୁଲ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ । ଆବଶ୍ୟକ ନଥିଲେ ରୋଗୀଙ୍କୁ ଅକ୍ସିଜେନ ଦିଆଯିବ ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଅକ୍ସିଜେନ ଦରକାର ପଡେ ?

କୋଭିଡ୍ ଆକ୍ରାନ୍ତ ଯଦି ଅଣନିଶ୍ୱାସୀ ଅନୁଭବ କରୁଥିବେ ଓ ଧଇଁସଇଁ ହେଉଥିବେ ସେ କ୍ଷେତ୍ରରେ ତାଙ୍କୁ ମେଡିକାଲ୍ ଅକ୍ସିଜେନ୍ ଦିଆଯାଇପାରିବ । ସେହିପରି ରକ୍ତରେ ଅମ୍ଳଜାନ ପରିମାଣ ୯୨ ପ୍ରତିଶତରୁ ତଳକୁ ଖସିଲେ ଅକ୍ସିଜେନ ଦିଆଯିବା ବିଧେୟ । କୌଣସି କରୋନା ଆକ୍ରାନ୍ତଙ୍କ ଫୁସଫୁସରେ ସଂକ୍ରମଣ ଥିଲେ ଓ ତରଳ ଜମିଥିଲେ ତାଙ୍କୁ ଅକ୍ସିଜେନ୍ ଦିଆଯିବା ଅତି ଜରୁରୀ । ତେବେ ରୋଗୀ ଯଦି ଖାଲି ଅଣନିଶ୍ୱାସୀ ଅନୁଭବ କରୁଥିବେ, ମାତ୍ର ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଥିବ ସେ କ୍ଷେତ୍ରରେ ବି ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିନଥାଏ । ଦେଶରେ ସଂକଟ ସ୍ଥିତିରେ, ଘରେ ଆବଶ୍ୟକତା ନଥାଇ ଅକ୍ସିଜେନ୍ ସିଲିଣ୍ଡର୍ ବ୍ୟବହାର କରି ଏହାର ଅପଚୟ ନକରିବାକୁ ପରାମର୍ଶ ଦିଆଯାଉଛି ।

 

You might also like