ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ଏବେ ସୁଦ୍ଧା ୯୦ ମୃତ, ୧୫୦୦ ସଂକ୍ରମିତ

ମୁମ୍ବାଇ : କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଦେଶ ପାଇଁ ନୂଆ ସମସ୍ୟା ରୂପରେ ଉଭା ହୋଇଛି । କରୋନାର ଦ୍ୱିତୀୟ ଲହରୀ ନାକେଦମ କରିସାରିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ପାଇଁ ଚିନ୍ତାରେ ସରକାର । ଅନେକ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବା ସହ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ୯୦ ଜଣ ପ୍ରାଣ ହରାଇଥିବା କହିଥିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସାମନ୍ୟ କମିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ବ୍ଲାକ୍ ଫଙ୍ଗସ୍ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଅନେକ ସଂଖ୍ୟାରେ ଲୋକେ ମ୍ୟୁକର ମାଇକୋସିସ୍‌(ବ୍ଲାକ୍ ଫଙ୍ଗସ୍‌)ରେ ସଂକ୍ରମିତ ହେବା ସହ ଏବେ ସୁଦ୍ଧା ୯୦ ଜଣଙ୍କର ଜୀବନ ଯାଇଛି । ଏହାସହ ପାଖାପାଖି ୧୫୦୦ ଲୋକ ଏବେ ବ୍ଲାକ ଫଙ୍ଗସ୍ ରୋଗର ପୀଡିତ ଅଛନ୍ତି । ଏଥିପାଇଁ ତୁରନ୍ତ ଏମ୍ଫୋବି ଇଞ୍ଜେକ୍ସନ ଯୋଗାଇବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ୧୫୦୦ କ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମଧ୍ୟରୁ ପୁଣେରୁ କେବଳ ୨୭୦ ସଂକ୍ରମିତ ଅଛନ୍ତି ।

ସେହିପରି ପଡୋଶୀ ରାଜ୍ୟ ଗୁଜରାଟରେ ସ୍ଥିତି ଖରାପ ରହିଛି ।  ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି । ଏଥିସହ ଜୟପୁର ସ୍ଥିତ ସଓ୍ୱାଇ ମାନସିଂ ହସ୍ପିଟାଲରେ କେବଳ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲାଯାଇଛି ।

ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରୀ, ତା ଠୁ ଅଧିକ ଜରୁରୀ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା । ଏଥିରୁ ରକ୍ଷା ପାଇବା ପାଇଁ ଉଭୟ କରୋନା ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତର୍କ ହେବା ଉଚିତ । କରୋନା ରୋଗୀଙ୍କୁ ଡାକ୍ତରମାନେ ଆବଶ୍ୟକତା ପୂର୍ବରୁ ଏବଂ ମାତ୍ରାଧିକ ଷ୍ଟିରଏଡ୍ ଦେବା ଅନୁଚିତ । ରୋଗୀଙ୍କୁ ଅକ୍ସିଜେନ୍ ଲଗାଇବା ବେଳେ ମାସ୍କ ଓ ପାଇପକୁ ଭଲଭାବେ ସାନିଟାଇଜ୍ କରିବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି ।

ଏଥିସହ କରୋନାରୁ ସୁସ୍ଥ ହେଉଥିବା ଡାଇବେଟିସ୍ ରୋଗୀ ନିଜ ସୁଗାର୍ ଲେଭେଲ୍ ବା ଶର୍କରା ମାତ୍ରା ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ । ଏହି ସଂକ୍ରମଣ ନାକ ପଟେ ଶରୀରରେ ପଶୁଥିବାରୁ ଭଲଭାବେ ମାସ୍କ ଲଗାନ୍ତୁ, ବାହାରକୁ ଗଲେ ଫୁଲସାର୍ଟ, ଫୁଲପ୍ୟାଂଟ୍‌ ଓ ଜୋତା ପିନ୍ଧନ୍ତୁ। ମାଟିରେ ମଧ୍ୟ ଏହି ଫଙ୍ଗସ୍ ରହୁଥିବାରୁ, ମାଟିରୁ ଦୂରେଇ ରୁହନ୍ତୁ ଏବଂ ବଗିଚା କାମ ବେଳେ ଗ୍ଲୋଭ୍ସ ଓ ଗନ୍ ବୁଟ୍ ଆଦି ପିନ୍ଧନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

 

You might also like