କରୋନାର ଦ୍ୱିତୀୟ ଲହରୀ ରୋକିବାକୁ ଟିକାକରଣ ଜରୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି

ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି
ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ
ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ
ମହାମାରୀ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ସଂକ୍ରମିତ କରନ୍ତି
କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆସିବ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ ଘୋଷଣା କରାଯାଉଛି । ହେଲେ ଏହା ସେତେଟା ଫଳପ୍ରଦ ହେବ ନାହିଁ, କରୋନାର ଦ୍ୱିତୀୟ ଲହରୀ ଏଡ଼ାଯାଇ ନପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ୍ ଲଗାଯାଇପାରିବ ବୋଲି ଏକ ଜାତୀୟ କନକ୍ଲେଭରେ ଯୋଗଦେଇ ମତ ଦେଇଛନ୍ତି ।

ଆଗାମୀ ଦିନରେ କରୋନାର ମୁକାବିଲା ପାଇଁ ଅଧିକ ସଂଖ୍ୟାରେ ଲୋକଙ୍କ ଟିକାକରଣ କରାଯିବ । ପର୍ଯ୍ୟାୟ କ୍ରମେ କମ ବୟସର ବ୍ୟକ୍ତିମାନଙ୍କ ଟିକାକରଣ ପାଇଁ ପଦକ୍ଷେପ ନିଆଯିବ । ବର୍ତ୍ତମାନ ଯେଉଁମାନେ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ, ସେମାନଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦିଆଯାଉଛି । ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । କରୋନା ମହାମାରୀର ମୁକାବିଲା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ ବିଜ୍ଞାନସମ୍ମତ  ।

କରୋନା ମୁକାବିଲା ପାଇଁ ନିଆଯାଇଥିବା କଣ୍ଟେନମେଣ୍ଟ ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଏଥିସହ କରୋନା ଭୂତାଣୁର ରୂପରେ କୌଣସି ପରିବର୍ତ୍ତନ ଆସୁଛି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଜେନମ୍ ସିକ୍ୱେନସିଂ କରାଯାଉଛି । ଭାରତ ପକ୍ଷରୁ ଅନେକ ସତର୍କତା ମୂଳକ ପଦକ୍ଷେପ ନିଅ ଯାଉଥିଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଆସିବ, ଏହାକୁ ଏଡାଇ ହେବ ନାହିଁ । ମହାମାରୀ ଗୁଡିକ ସାଧାରଣତଃ ବିଭିନ୍ନ ପର୍ଯ୍ୟାୟରେ ଆସିଥାନ୍ତି, ତେଣୁ କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି  ।

ସେପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୫୨,୬୪୭ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୧ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମଳିଛି । କରୋନାମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲୁ ରହିଛି । ଏପର୍ଯ୍ୟନ୍ତ ୫କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣଙ୍କୁ ଟିକା ଦିଆଯାଇଛି ।

You might also like