ସରିଲା ସ୍ୱାମୀ ସରକାର

ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ

ବେଙ୍ଗାଲୁରୁ : ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର ଯବନିକା। ଆସ୍ଥା ଭୋଟରେ ହାରିଲା ଜେଡିଏସ-କଂଗ୍ରେସ ମେଣ୍ଟସରକାର। ଫ୍ଲୋର ଟେଷ୍ଟ ପରେ କୁମାରସ୍ୱାମୀଙ୍କ ପରାଜୟ ନେଇ ଘୋଷଣା କରିଛନ୍ତି ବାଚସ୍ପତି । ଏହାପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି କୁମାର ସ୍ୱାମୀ।

ରାଜ୍ୟପାଳ ମଧ୍ୟ କୁମାର ସ୍ୱାମୀଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ମିଳିଛି। ଆଜି ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା। ତେବେ ବିଏସପିର ଏକ ମାତ୍ର ବିଧାୟକ ଭୋଟ ଦାନରୁ ବିରତ ରହିଥିଲେ।  ଆସ୍ଥା ଭୋଟରେ ହାରିବା ସହ ୧୪ ମାସର ମେଣ୍ଟ ସରକାର ଭାଙ୍ଗିଛି।ମେଣ୍ଟ ସରକାର ଭାଙ୍ଗିବା ପରେ କର୍ଣ୍ଣାଟକ ବିଜେପି ମୁଖ୍ୟ ୟେଦୁରପ୍ପା କହିଛନ୍ତି ଲୋକେ ଏହି ସରକାରରେ ଅତିଷ୍ଠ ଥିଲେ। ମେଣ୍ଟ ସରକାରର ପତନ ଗଣତନ୍ତ୍ରର ବିଜୟ ବୋଲି କହିବା ସହ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ରଖିବ ବୋଲି ସେ କହିଛନ୍ତି।  ରାଜ୍ୟପାଳଙ୍କୁ ଭେଟିବାକୁ ୟେଦୁରପ୍ପା ସମୟ ମାଗିଥିବା ଜଣାପଡ଼ିଛି।  ମେଣ୍ଟ ସରକାରର ୧୬ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ସରକାର ପ୍ରତି ସଂକଟ ସୃଷ୍ଟି ହୋଇଥିଲା । ଏହାପରେ ଆସ୍ଥା ଭୋଟ ପାଇଁ ଦାବି କରିଥିଲା ବିଜେପି।

ଗତ କିଛି ଦିନ ଧରି ବିଧାନସଭାରେ ଆସ୍ଥା ଭୋଟ ପାଇଁ ଆଲୋଚନା ଚାଲିଥିଲେ ବି ଭୋଟିଂ ହୋଇପାରିନଥିଲା।  ଶେଷରେ ବାଚସ୍ପତି ଆଜି ଫ୍ଲୋର ଟେଷ୍ଟ ପାଇଁ ସମୟ ଧାର୍ଯ୍ୟ କରିଥିଲେ । ଫ୍ଲୋର ଟେଷ୍ଟରେ ଫେଲ୍ ହୋଇଥିଲେ କୁମାର ସ୍ୱାମୀ ସରକାର।

You might also like