ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପିକୁ ଅନୁମତି

କୋଲକାତା: ରାଜ୍ୟରେ ରଥଯାତ୍ରା କରିବା ଲାଗି ବିଜେପିକୁ କୋଲକାତା ହାଇକୋର୍ଟ ଅନୁମତି ପ୍ରଦାନ କରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଶକ୍ତି ଝଟ୍‌କା ଲାଗିଛି।

ବିଜେପିର ରଥଯାତ୍ରା ଫଳରେ ରାଜ୍ୟରେ ସାଂପ୍ରଦାୟିକ ଗଣ୍ଡଗୋଳ ହେବା ଆଶଙ୍କା କରି ରଥଯାତ୍ରାକୁ ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଏହାସହ ରଥଯାତ୍ରା ସମୟରେ ଯେପରି କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଯତ୍ନବାନ ରହିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଅନୁମତି ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି।

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୪୦ ଦିନରେ ୨୯୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ରଥଯାତ୍ରା କରିବାକୁ ଯୋଜନା କରିଥିଲେ। ଏହି ରଥଯାତ୍ରା ଡିସେମ୍ବର ୭ତାରିଖରେ ହେବାର ଥିଲା। ହେଲେ ଏହା ବିରୋଧରେ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ କୋର୍ଟ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରି ନଥିଲେ।

କିନ୍ତୁ ପରେ ଏନେଇ ବିଜେପି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ନିଜ ରାୟର ସମୀକ୍ଷା କରି ରଥଯାତ୍ରା ସଂପର୍କରେ ରିପୋର୍ଟ ଦେବାକୁ ସଂପୃକ୍ତ ଏସ୍‌ପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜାନୁଆରି ୯ ତାରିଖରେ ପରବର୍ତ୍ତୀ ଶୁଣାଣି ଯାଏ ରଥଯାତ୍ରା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ବିଜେପିର ଆବେଦନ ଆଧାରରେ ତିନିଟି ବିକଳ୍ପ ତାରିଖ ଚୟନ କରିବାକୁ କୋର୍ଟ କହିଥିଲେ। ଏନେଇ ତଥ୍ୟ ଉପସ୍ଥାପନ ପରେ କୋର୍ଟ ଆଜି ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

You might also like