ହରିୟାଣାରେ ଜୁନ ୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ : ଅଡ-ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବାକୁ ଅନୁମତି

ଚଣ୍ଡୀଗଡ଼ : ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ହରିୟାଣାରେ ଆଉ ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଫଳରେ ୭ ଜୁନ ସକାଳ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ବଳବତ୍ତର ରହିବ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ତୁଳନାତ୍ମକ ଭାବେ କଟକଣା କୋହଳ କରି ଏକ ସପ୍ତାହ ଲକଡାଉନ ବୃଦ୍ଧି କରାଯାଇଛି ।

ତେବେ ଏହି ଲକଡାଉନ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ରାଜ୍ୟରେ ଦୋକାନ ଖୋଲିବାର ସମୟ ପୂର୍ବରୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଥିଲା, ଏବେ ଏହାକୁ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କରାଯାଇଛି । ଏହାସହ ଦୋକାନ ଖୋଲିବା ପାଇଁ ଅଡ-ଇଭିନ୍ ଫର୍ମୁଲା ବ୍ୟବହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସ୍କୁଲ, କଲେଜ ୧୫ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟ ନିୟମ ବଳବତ୍ତର ରହିବ ।

ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାୟ ୭୫୦ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ ଏଥିରୁ ଆରୋଗ୍ୟ ହୋଇସାରିଛନ୍ତି । ସେହିପରି ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ୫୦ ଜଣ ପ୍ରାଣ ହରାଇଥିବା ବେଳେ ୬୫୦ ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ ହରିୟାଣା ସରକାର ଗତ ଶନିବାର କୋଭିଡ -୧୯ କାରଣରୁ ବାପାମା’ଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । ଅନାଥ ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ୧୮ ବର୍ଷ ବୟସ ପର‌୍ୟ୍ୟନ୍ତ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ବ୍ୟତୀତ ବାର୍ଷିକ ସେହି ପିଲାଙ୍କ ଖାତାକୁ ୧୨,୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର ।

You might also like