ହରିଆଣା ରାଜନୀତିରେ ଟ୍ୱିଷ୍ଟ; ବିଜେପିକୁ ସମର୍ଥନ ଦେବ ଜେଜେପି

ଚଣ୍ଡିଗଡ଼: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ୍‌ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ ସମର୍ଥନ ଦେବ ବୋଲି ଜଣାପଡ଼ିଛି।

ତେବେ ଧାରା ୩୭୦ ଉଚ୍ଛେଦକୁ ଢାଲ କରି ହରିଆଣା ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ରାଜ୍ୟରେ ଶକ୍ତ ଝଟ୍‌କା ଲାଗିଛି। ଅବଶ୍ୟ ଦଳ ୪୦ଟି ଆସନରେ ଜିତି ପାରିଛି, ହେଲେ ଦଳ ନିଜର ଦମ୍ଭୋକ୍ତି ଅନୁଯାୟୀ ପ୍ରଦର୍ଶନ କରିପାରିନାହିଁ।

‘ଅବ୍ କୀ ବାର ୭୫ ପାର୍’ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ହରିଆଣାରେ ୪୦ଟି ଆସନ ପାଇଛି। ଖାଲି ସେତିକି ନୁହେଁ, ବିଜେପିର ଭୋଟ ହାର ମଧ୍ୟ ଲୋକସଭା ନିର୍ବାଚନ ତୁଳନାରେ ୨୨% ହ୍ରାସ ପାଇଛି।

୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପିର ଭୋଟ ହାର ୫୮% ଥିଲା। ଦଳ ସମସ୍ତ ୧୦ଟି ଯାକ ଲୋକସଭା ଆସନରେ ବାଜିମାତ କରିଥିଲା। ହେଲେ ଏବେ ଦଳର ଭୋଟ ପ୍ରତିଶ୍ରତ ୨୨% ଖସି ଯାଇଛି। ମନହୋର ଲାଲ ଖଟ୍ଟର ସରକାରରେ ମନ୍ତ୍ରୀ ହୋଇଥିବା ୭ ଜଣ ବିଜେପି ନେତା ଏଥର ପରାସ୍ତ ମଧ୍ୟ ହୋଇଛନ୍ତି। ବିଜେପିର ଭୋଟ ହାର ୩୬.୩% ରହିଛି।

କଂଗ୍ରେସ ଲୋକସଭା ବେଳେ ଏଠାରେ ଗୋଟିଏ ବି ଆସନ ଜିତି ପାରି ନଥିଲା। ହେଲେ ଦଳ ବିଧାନସଭାର ୩୦ଟି ଆସନ ଜିତିଛି। ୨୦୧୪ରେ ଦଳ ମାତ୍ର ୧୫ଟି ଆସନରେ ସୀମିତ ଥିଲା। ସେହିପରି ଦଳର ଭୋଟ ହାର ଲୋକସଭାରେ ଯେତିକି ଥିଲା ଏବେ ବି ସେତିକି ରହିଛି। ଲୋକସଭା ନିର୍ବାଚନରେ ଦଳ ସପକ୍ଷରେ ୨୮.୪୨% ଭୋଟ ପଡ଼ିଥିଲା। ଏବେ ବିଧାନସଭାରେ ଦଳର ଭୋଟ ୨୮.୨% ରହିଛି।

ଅନ୍ୟାନ୍ୟ ଦଳ ରାଜ୍ୟରେ ୨୦ଟି ଆସନ ଜିତିଛନ୍ତି। ଏହି ୨୦ଟି ଆସନରୁ ଜେଜେପି ୧୦ଟିରେ ଜିତିଥିବା ବେଳେ ଆଇଏନଏଲଡି ଗୋଟିଏ ଓ ଏଚଏଲପି ଗୋଟିଏ ଆସନ କବଜା କରିଛନ୍ତି।

You might also like