‘ନା ବିଜେପି, ନା କଂଗ୍ରେସ ୪୦ ଅତିକ୍ରମ କରିପାରିବ’

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ହରିଆଣାରେ ୯୦ଟି ଆସନରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨୯ଟି, ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ, ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ(ଆଇଏନ୍‌ଏଲ୍‌ଡି)୧ଟି ଆସନ ଓ ଅନ୍ୟାନ୍ୟ ଦଳ ୯ଟି ଆସନରେ ଆଗୁଆ ରହିଛି।

ତେବେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବାପୂର୍ବରୁ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ‘ହରିଆଣା ପରିବର୍ତ୍ତନ ଚାହୁଁଛି। ଅନ୍ତିମ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତା’ପରେ ଆପଣ ଜାଣି ପାରିବେ ସରକାର କିଏ ଗଠନ କରିବ।’

ଦୁଷ୍ୟନ୍ତ କହିଛନ୍ତି, ‘ନା ବିଜେପି, ନା କଂଗ୍ରେସ ୪୦ ଅତିକ୍ରମ କରିପାରିବ, ଜେଜେପି ହାତରେ କ୍ଷମତାର ଚାବି ରହିବ‘।

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ତିମ ଫଳାଫଳ ଆସିବା ପରେ ହିଁ ଆମେ ନିଷ୍ପତ୍ତି ନେବୁ ବିଜେପିକୁ ସମର୍ଥନ କରିବୁ ନା କଂଗ୍ରେସକୁ। ପ୍ରଥମେ ବିଧାୟକ ଦଳ ବୈଠକ ବସିବ ଏହାପରେ ନିଷ୍ପତ୍ତି ନିଆଯିବ।

ତେବେ ହରିଆଣାରେ ସରକାର କିଏ ଗଠନ କରିବ, ତାହା ଚୂଡ଼ାନ୍ତ ଫଳାଫଳ ଆସିଲା ପରେ ହିଁ ଜଣାପଡ଼ିବ।

You might also like