ବିଜେପି-ଜେଜେପି ମେଣ୍ଟ, ଦୁଷ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ମେଣ୍ଟର ସର୍ତ୍ତ ଅନୁଯାୟୀ ନିଜେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।
ଆଜିର ଅନ୍ୟତମ ପ୍ରମୁଖ ଘଟଣା କ୍ରମରେ ଦୁଷ୍ୟନ୍ତ ଚୌଟାଲା ତାଙ୍କ ବାପା ତଥା ଚାରି ଚାରି ଥର ହରିଆଣା ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳର ମୁଖ୍ୟ ଓମ୍ପ୍ରକାଶ ଚୌଟାଲାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ଆଜି ଭେଟିଛନ୍ତି।
ବିଜେପି ୯୦ ଆସନ ବିଶିଷ୍ଟ ହରିଆଣାର ବିଧାନସଭାରେ ୪୦ଟି ଆସନ ଜିତିଥିଲା। ସରକାର ଗଠନ ପାଇଁ ଦଳକୁ ଆହୁରି ୬ଟି ଆସନ ଦରକାର ଥିଲା। ଏଥିପାଇଁ ପ୍ରଥମେ ଦଳ ସ୍ୱାଧୀନ ବିଧାୟକ ଓ କିଛି ଆଞ୍ଚଳିକ ଦଳର ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ପ୍ରୟାସ କରିଥିଲା। କିନ୍ତୁ ବିବାଦୀୟ ନେତା ଗୋପାଲ କାଣ୍ଡାଙ୍କ ଅପରାଧିକ ରେକର୍ଡ ସତ୍ତ୍ୱେ ତାଙ୍କ ସମର୍ଥନ ନେବାକୁ ନେଇ ବିଭିନ୍ନ ଆଡ଼ୁ ସମାଲୋଚନା ହୋଇଥିଲା।
ତେବେ ସନ୍ଧ୍ୟା ବେଳେ ଜେଜେପି-ବିଜେପିକୁ ସରକାର ଗଠନ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ନିଷ୍ପତ୍ତି ହୋଇଛି। ଜେଜେପି ହରିଆଣାରେ ୧୦ଟି ଆସନ ଜିତିଛି। ଏବେ ବିଜେପି ପାଖରେ ୫୦ଟି ଆସନ ହୋଇଯାଇଛି। କଂଗ୍ରେସ ଜେଜେପି ସମର୍ଥନରେ ସରକାର ଗଠନ କରିବାକୁ ପ୍ରୟାସ କରିଥିଲେ ହେଁ ଏହାର ସଂଖ୍ୟା ମାତ୍ର ୩୧ରେ ସୀମିତ ରହିବା ଏହି ସ୍ୱପ୍ନଟିକୁ ସ୍ୱପ୍ନରେ ରଖିଦେଇଛି।
ପୂର୍ବରୁ ଏଚଏଲପିର ଗୋପାଳ କାଣ୍ଡା ଓ ଆଇଏନ୍ଏଲଡିର ଅଭୟ ଚୌଟାଲା ମଧ୍ୟ ବିଜେପିକୁ ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଏହାବାଦ୍ ଆଉ ୭ ଜଣ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବାର ସମ୍ଭାବନା ରହିଛି ଅର୍ଥାତ ବିଜେପି ପାଖରେ ୫୯ଟି ଆସନ ହୋଇଯାଇଛି।