WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଜାପାନ ଡାକ୍ତର ହିରୋକି ନାକାତାନିଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି।
ଏହି ବୋର୍ଡରେ ଏବେ ୩୪ ଜଣ ସଦସ୍ୟ ଅଛନ୍ତି। ଏହି ପଦ ପାଇଁ ଚଳିତ ବର୍ଷ ଭାରତ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ଚଳିତ ମେ ମାସରୁ ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ଆରମ୍ଭ ହେଉଥିବା ବେଳେ ସେ ୧ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ।
ଦାୟିତ୍ୱ ନେବା ପରେ ହର୍ଷବର୍ଦ୍ଧନ କଗହିଛନ୍ତି “ମୁଁ ଜାଣେ ଯେ କରୋନା ଭାଇରସ୍ ମହାମାରୀ ଭଳି ବିଶ୍ୱ ସଙ୍କଟ ସମୟରେ ମୁଁ ଏହି କାର୍ଯ୍ୟାଳୟରେ ପ୍ରବେଶ କରିଛି। ଏମିତି ଗୋଟେ ସମୟ ଯାହା ଆମେ ସମସ୍ତେ ଜାଣିଛେ ଯେ ଆଗାମୀ ଦୁଇ ଦଶନ୍ଧି ଧରି ବଡ଼ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ୍ ରହିବ। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ଆମ ସସ୍ତଙ୍କର କର୍ତ୍ତବ୍ୟ।”
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ ସ୍ୱାସ୍ଥ୍ୟ ସଭାର ନିଷ୍ପତ୍ତି ଏବଂ ନୀତିକୁ ପ୍ରଭାବି ଢଙ୍ଗରେ କରାଇବା ଦିଗରେ କାର୍ଯ୍ୟକାରୀ କରିଥାଏ। ଏହା ସିହତ ଏ ସମ୍ପର୍କିତ ପରାମର୍ଶ ଦେବା ଓ କାର୍ଯ୍ୟକୁ ସହଜରେ କରାଇବାରେ ସାହାୟକ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡର ପ୍ରତି ବର୍ଷ ୨ ଥର ବୈଠକ ହୋଇଥାଏ। ଯାହାର ନେତୃତ୍ୱ ନେଇଥାନ୍ତି କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ।
ଗତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପଶ୍ଚିମ ଏସିଆ ଗ୍ରୁପ୍ରୁ ମୁଖ୍ୟମାନେ ସର୍ବସମ୍ମତିକ୍ରମେ ଭାରତରୁ ମନୋନୀତ ଜଣଙ୍କୁ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିଲେ। ଏନେଇ ମଙ୍ଗଳବାର ଏହି ପ୍ରସ୍ତାବ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୧୯୪ ଦେଶ ମୋହର ଲଗାଇଥିଲେ।