୫୬ ବର୍ଷରେ ପାଦ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ବିକାଶରେ ତାଙ୍କର ନିଷ୍ଠା ଓ ପ୍ରଶଂସାଯୋଗ୍ୟ କାମ ଦେଶ ଦେଖୁଛି । ବିଜେପିକୁ ଅଧିକ ଦୃଢ କରିବାରେ ତାଙ୍କର ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଦେଶର ସେବା କରିବାକୁ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।

୧୯୬୪ ମସିହାରେ ଅମିତ ଶାହ ମୁମ୍ୱାଇରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଜଡିତ ଥିଲେ । ଗୁଜରାଟରେ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅମିତ ଶାହ ଗୃହମନ୍ତ୍ରୀ ଥିଲେ । ୨୦୧୪ ମସିହା ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ ।  ସେହି ସମୟରେ ଦେଶର ଉତ୍ତର-ପୂର୍ବାଞ୍ଚଳ ସମେତ ବହୁ ରାଜ୍ୟରେ ବିଜେପି ସରକାର ଗଠନ କରିଥିଲା । ୨୦୧୪ ମସିହାରେ ନିର୍ବାଚନ ସମୟରେ ସେ ବିଜେପିର ଉତ୍ତରପ୍ରଦେଶ ଇନଚାର୍ଜ ଥିଲେ । ସାଧାରଣ ନିର୍ବଚନରେ ବିଜେପି ଓ ତାର ମିତ୍ରଦଳଗୁଡିକ ୮୦ ଆସନ ମଧ୍ୟରୁ ୭୩ଟି ଆସନ ହାସଲ କରିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ବିଜେପିର ନିର୍ବାଚନ ପ୍ରଚାର କଥା ବୁଝିବା ସହ ନିଜେ ଦଳ ପାଇଁ ପ୍ରଚାର କରୁଥିଲେ । ଦଳକୁ ୩୦୩ଟି ଆସନ ମିଳିଲା । ବିଜେପି ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କଲା । ସେ ଗାନ୍ଧିନଗର ଆସନରୁ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ୫ବର୍ଷ ୬ମାସ ରହିଥିଲେ । ଏହି ସମୟ ମଧ୍ୟରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିଛି । ଅମିତ ଶାହଙ୍କ ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ନେତାମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

You might also like