ଇସ୍ରାଏଲ ଉପରେ ହମାସ୍‌ର ୩୦୦ ରକେଟ ମାଡ, ଭାରତୀୟ ମହିଳା ମୃତ

ଗାଜା-ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଦୀର୍ଘ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ରାତାରାତି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । ଏହି ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ମିଳିଥିବା ଖବର ଅନୁଯାୟୀ, ହମାସ ଇସ୍ରାଏଲ ଉପରେ ପାଖାପାଖି ୧୦୦ ରକେଟ ମାଡ କରିଛି । ଏହି ରକେଟ ମାଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି, ଏହି ହିଂସାରେ ପ୍ରାୟ ୩୫ ଜଣ ପାଲେଷ୍ଟାଇନ ଏବଂ ୩ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି ।

ବିବିସି ରିପୋର୍ଟ ଅନୁଯାୟୀ, ସୋମବାର ରାତିରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଉପରେ ୩୦୦ରୁ ଅଧିକ ରକେଟ ମାଡ କରାଯାଇ ସାରିଲାଣି । ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଏହାର ଜବାବରେ ଗାଜାର ୧୫୦ଟି ସ୍ଥାନ ଉପରେ ଆକ୍ରମଣ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଆକ୍ରମଣରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ଭାରତୀୟଙ୍କ ନାମ ସୌଭ୍ୟା ସନ୍ତୋଷ ଅଟେ । ସେ ଗତ ୭ ବର୍ଷ ଧରି ଇସ୍ରାଏଲରେ ରହି ଆସୁଛନ୍ତି ।

ରିପୋର୍ଟ ଅନୁସାରେ, ଆକ୍ରମଣବେଳେ ସୌଭ୍ୟା ଜଣେ ବୟସ୍କ ମହିଳାଙ୍କର ଦେଖାଶୁଣା କରୁଥିଲେ । ତେବେ ଏହି ଘଟଣାରେ ବୟସ୍କ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଛି । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ହମାସ ପକ୍ଷର ଆଞ୍ଚଳିକ କ୍ଷେତ୍ରରେ ୧୩୦ ରକେଟ ମାଡ କରାଯାଇଛି। ଏଥିସହିତ ଜେରୁଜେଲମରେ ମଧ୍ୟ ହିଂସା ବ୍ୟାପୁଥିବା କୁହାଯାଉଛି । ଇସ୍ରାଏଲ ମଙ୍ଗଳବାର ଆକ୍ରମଣକୁ ଆହୁରି ତୀବ୍ର କରି ଗାଜା ସିଟି ଉପରେ ଆକ୍ରମଣ କରିଛି । ହମାସର ଏକ କୋଠାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏଥିରେ ୩ ଆତଙ୍କୀଙ୍କର ମୃତ୍ୟୁ ଘଟିଛି ।

ସୂଚନାଥାଉ କି, ୨୦୧୪ରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ଏବଂ ଏହା ଭୟଙ୍କର ହିଂସା ରୂପ ନେଇଥିଲା । ଜାଗାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଢୁଥିବା ବିବାଦକୁ ଦେଖି ଅନ୍ତର୍ଜାତୀୟ ସମୂଦାୟ ଚିନ୍ତା ପ୍ରକାଶ କରିଛନ୍ତି । ଏପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟନ୍ୟାହୁ କହିଛନ୍ତି, ହମାସ ରକେଟ ମାଡ କରି ସବୁ ସୀମା ପାର କରିଦେଇଛି । ହମାସ ଉପରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ସେ ଧମକ ଦେଇଛନ୍ତି ।

 

 

You might also like