ନୂଆଦିଲ୍ଲୀ: ଆଜିଠାରୁ ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଥମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ ଲାଗୁ କରାଯିବ ।

ଏହି ଜିଲ୍ଲାମାନଙ୍କର ଅଳଙ୍କାର ଦୋକାନୀମାନେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟ ଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିଭଳି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲମାର୍କିଂ ପାଇଁ ଅନୁମତି ମିଳିବ । ଏନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

ହିତାଧିକାରୀଙ୍କ ସହ ବ୍ୟାପକ ପରାମର୍ଶ ପରେ ସରକାର ଅଳଙ୍କାର କ୍ଷେତ୍ରର କେତେକ ବ୍ୟବସାୟୀଙ୍କ ପାଇଁ ଏହି ନିୟମକୁୁ ଛାଡ କରାଯାଇଛି । ବାର୍ଷିକ ୪୦ଲକ୍ଷ ଟଙ୍କା ଯାଏଁ ଟର୍ଣ୍ଣ ଓଭର ଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି । ଖାଉଟି ଯେପରି ଶୁଦ୍ଧ ସୁନା ଆଦି ଅଳଙ୍କାର ପାଇପାରିବେ, ସେଥିପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଗ୍ରାହକଙ୍କଠାରୁ ବିନା ହଲ୍‌ମାର୍କିଂ ପୁରୁଣା ସୁନାକୁ ଜୁଏଲର୍ସମାନେ କିଣିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

Other Stories