ଛାତ ପଟେ ପଶି ବିଜେପି ସାଂସଦଙ୍କ ଘରୁ ଚୋରି

ଗ୍ୱାଲିଅର:ବିଜେପି ରାଜ୍ୟସଭା ସାଂସଦ ତଥା ଗ୍ୱାଲିୟର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୟ ବିଳାସ ପ୍ୟାଲେସରେ ଚୋରି ହୋଇଯାଇଛି। ସବୁଠାରୁ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିବା ଏହି ମହଲରୁ ଚୋରି ହେବା ଘଟଣା ପୋଲିସ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମାମଲାର ତଦନ୍ତ ଆରମ୍ଭ କରିଛି।

ସିନ୍ଧିଆ ରାଜବଂଶରେ ଜୟ ବିଳାସ ପ୍ୟାଲେସ ପରିସରରେ ଚୋରି ଘଟଣାକୁ ନେଇ ଗ୍ୱାଲିଅର ପୋଲିସ ଅଧୀକ୍ଷକ ରତ୍ନେଶ ତୋମର କହିଛନ୍ତି, ବୁଧବାର ସକାଳୁ ରାନୀମହଲରୁ ସୂଚନା ଦିଆଯାଇଥିଲା ଯେ, ଛାତ ଉପର ରାସ୍ତା ଦେଇ ଚୋର ମହଲର ଏକ ରୁମ୍‌ରେ ପଶିଥିଲେ। ଖବର ପାଇବା ପରେ ତୁରନ୍ତ ପୋଲିସ ଅଧିକାରୀ ଫୋର୍ସ, ତାଲିମପ୍ରାପ୍ତ ଡଗ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଫୋରେନ୍‌ସିକ୍‌ ଟିମ୍‌ ପହଞ୍ଚି ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟନ୍ୟ ଜରୁରୀ ସାକ୍ଷ୍ୟ ଜବତ କରିଛି। ଚୋରି ସମାଗ୍ରୀ ସହ ମହଲର ଏକ ପଂଖା ଏବଂ କମ୍ପ୍ୟୁଟର ସିପିୟୁ ଚୋରି ହୋଇଥି ସାମ୍ନାକୁ ଆସିଛି।

ଏଠି କହିରଖିବୁ, ସିନ୍ଧିଆ ରାଜଭବନ ଅର୍ଥାତ୍‌ ଜୟ ବିଳାସ ପ୍ୟାଲେସ୍‌ କେବଳ ଦେଶରେ ନୁହେଁ, ବରଂ ବିଦେଶରେ ବି ଏକ ଚର୍ଚ୍ଚିତ ମହଲ। ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଲୋକେ ଆସିଥାନ୍ତି। ୧୮୭୪ ମସିହାରେ ଏହି ମହଲକୁ ଶ୍ରୀମନ୍ତ ଜୟାଜୀ ରାଓ ସିନ୍ଧିଆ ତିଆରି କରିଥିଲେ। ପ୍ରାୟ ୪୦ ଏକର ଜମି ଉପରେ ରହିଛି ଏହି ବିରାଟ ମହଲ। ଏହାର ମୂଲ୍ୟ ପ୍ରାୟ ୪ ହଜାର କୋଟି ଟଙ୍କା ହେବ।

୧୯୬୪ ମସିହାରେ ଜିୱାଜୀ ରାଓ ସିନ୍ଧିଆ ଏହାର ମ୍ୟୁଜିଅମକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଥିଲେ। ସେବେଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା  ପର୍ଯ୍ୟଟକଙ୍କ ଭିଡ ଜମେ ଏଠି। ୪୦୦ ରୁମ୍ ଥିବା ଏହି ମହଲକୁ ଶହ ଶହ ବିଦେଶୀ କାରିଗର ମିଶି ତିଆରି କରିଥିଲେ। ଏହାର କାନ୍ଥରେ  ସୁନା ଏବଂ ରୂପାର କାରୁକାର୍ଯ୍ୟ ରହିଛି। ଏଥିରେ ୩୫୦୦ କିଲ ଓଜନର ଝୁମର ଲାଗିଛି ଯାହା ଦେଖିବା ଯୋଗ୍ୟ।

 

You might also like