କରୋନା ଆକ୍ରାନ୍ତ ହେଲେ ଗୁଜରାଟ ବିଧାୟକ

ଗାନ୍ଧିନଗର: ଗୁଜରାଟର ବିଧାୟକ ଇମ୍ରାନ ଖେଡାୱାଲା କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ତାଙ୍କର ନମୁନା ପରୀକ୍ଷା ପରେ ପଜିଟିଭ ଆସିଥିବା ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଗାନ୍ଧିନଗରର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା ।

ଇମ୍ରାନ ଖଡ଼ିଆ-଼ଜମାଲପୁର ଆସନର ବିଧାୟକ ଅଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଗତକାଲି ଇମ୍ରାନ୍ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଆଉ ଦୁଇଜଣ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ।  ଇମ୍ରାନ ଗତକାଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିଛନ୍ତି।

ଡାକ୍ତରୀ ଟିମର ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସଚିବ ସୂଚନା ଦେଇଛନ୍ତି । ବିଧାୟକ ଇମ୍ରାନ ଖେଡାୱାଲାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି । ଅନ୍ୟପକ୍ଷେ ଅହମ୍ମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଠିକାର ଅଂଚଳକୁ ହଟସ୍ପଟ ଘୋଷଣା କରାଯାଇଛି।

ସୂଚନାଥାଉ କି, ରାଜ୍ୟ କଂଗ୍ରେସର ଆଉ ୨ ବିଧାୟକ ଗିୟାସୁଦ୍ଦିନ ଶେଖ ଏବଂ ଶୈଳେଶ ପରମାର କ୍ୱାରେଣ୍ଟାଇନରେ ଅଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସାନିଟାଇଜ କରାଯାଇଛି।

You might also like