ସୁରଟ: ରାହୁଲଙ୍କୁ ପଡ଼ିଥିଲା କୋର୍ଟରୁ ଡକରା । ଆଉ କୋର୍ଟଙ୍କ କଥା ମାନି ହାଜର ହେଲେ ରାହୁଲ ଗାନ୍ଧି । ୨୦୧୯ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ରାଲି କରୁଥିବା ସମୟରେ ରାହୁଲ ଦେଇଥିଲେ ବିବାଦୀୟ ଭାଷଣ । ଯାହାକୁ ନେଇ ସେତେବେଳେ ଅନେକ ତୁମ୍ବିତୋଫାନ୍ ହୋଇଥିଲା । ସେତେବେଳେ ରାହୁଲଙ୍କ ନାଁରେ ଏହି ଭାଷଣ ପାଇଁ ଥାନାରେ ମାନହାନୀ ମକଦ୍ଦା ରୁଜୁ ହୋଇଥିଲା ।

ଏହି ମାନହାନୀ ମୋକଦ୍ଦମାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସୁରତ କୋର୍ଟରେ ହାଜର ହୋଇଛନ୍ତି । ସୁରତ ସିଜେଏମ୍ ଏ.ଏନ୍. ଦାଭେଙ୍କ ଆଗରେ ହାଜର ହୋଇ ରାହୁଲ ନିଜର ପକ୍ଷ ରଖିଛନ୍ତି । ଏନେଇ ରାହୁଲଙ୍କ ଓକିଲ କିରିଟ ପନଓ୍ୱାଲ କହିଛନ୍ତି ଯେ, ମାମଲାରେ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । କୋର୍ଟ ମାମଲାର ଶୁଣାଣି କରି ସାରିଛନ୍ତି । ତେବେ ଆଜି କେବଳ ରାହୁଲ ନିଜ ସପକ୍ଷରେ କଣ କହୁଛନ୍ତି, ସେଥିପାଇଁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା ।

୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ କର୍ଣ୍ଣାଟକର କୋଲାରର ଏକ ସଭାରେ ରାହୁଲ ଭାଷଣ ଦେଇ କହିଥିଲେ ଯେ, କାହିଁକି ସବୁ ଚୋରଙ୍କ ନାଁ ପଛରେ ସାଙ୍ଗିଆ ମୋଦି ରହିଛି । ତେଣିକି ସେ ନିରବ ମୋଦି ହୁଅନ୍ତୁ କି ଲଳିତ ମୋଦି ଅବା ନରେନ୍ଦ୍ର ମୋଦି । ରାହୁଲଙ୍କ ଏଭଳି ଭାଷଣ ପରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ସୁରତର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିଥିଲେ । ଏଭଳି କହି ରାହୁଲ ସମସ୍ତ ମୋଦି ସମୁଦାୟଙ୍କୁ ବଦନାମ କରିଥିବା ସେ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ୨୦୧୯ ଅକ୍ଟୋବର ୧୧ରେ ମଧ୍ୟ ରାହୁଲ ସୁରତ କୋର୍ଟରେ ହାଜର ହୋଇଥିଲେ ।

Other Stories