ଗୁଜୁରାଟରେ ବିଜେପି ପିନ୍ଧିଲା ବିଜୟ ମୁକୁଟ

ବିଜୟର ବାନା ଉଡ଼ାଇଲା ବିଜେପି

ଗାନ୍ଧୀନଗର: ଗୁଜୁରାଟରେ ପୁଣି ବିଜେପିକୁ ମିଳିଲା ବଡ଼ ସଫଳତା। ନଗର ନିଗମ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଛି। ୬ଟି ଯାକ ନଗର ନିଗମକୁ କବ୍‌ଜା କରି ନେଇଛି ଭାରତୀୟ ଜନତା ପାର୍ଟି ବିଜେପି। ଯାହାକୁ ନେଇ ବେଶ୍ ଖୁସୀ ଅଛନ୍ତି ସ୍ଥାନୀୟ ନେତା। ଗୋଟିଏ ପଟେ ବିଜେପି ଶିବିରରେ ଖୁସିର ମାହୋଲ ଥିବା ବେଳେ ଖାଁ ଖାଁ ଲାଗୁଛି କଂଗ୍ରେସ କାର୍ଯ୍ୟାଳୟ। କେବଳ ବିଜେପି ନୁହେଁ ବରଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲଙ୍କ ଆମ ଆଦମୀ ପାର୍ଟିକୁ ବି ସଫଳତା ମିଳିବା ସହ ଓୱେସୀଙ୍କର AIMIM କୁ ମିଳିଛି ସଫଳତା।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜକୋଟରେ ଥିବା ୭୨ ସିଟ୍‌ ମଧ୍ୟରୁ ୬୮ଟି ସିଟ୍‌ କବଜା କରିନେଇଛି ବିଜେପି। ଆଉ ଏହି ସମୟରେ ମାତ୍ର ଚାରୋଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି କଂଗ୍ରେସ ଦଳକୁ। ସେହିପରି ଭଦୋଦରାରେ କଂଗ୍ରେସକୁ ୭ଟି ସିଟ୍‌ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି ବିଜେପିକୁ ମିଳିଛି ୬୮ଟି ସିଟ୍‌।

ଜାମନଗରର ୬୪ ଆସନ ମଧ୍ୟରୁ  ୫୧ଟି ଆସନରେ ବିଜେପି ଏବଂ ୧୦ଟିରେ କଂଗ୍ରେସ ବାଜିମାତ କରିଛି ଏବଂ ୩ଟି ଆସନରେ ଅନ୍ୟମାନେ ବିଜୟୀ ହୋଇଛନ୍ତି । ଭାବନଗରରେ ମୋଟ ୫୨ ସିଟ୍‌ରୁ ୪୪ଟି ସିଟ୍‌ରେ ବିଜେପି ଏବଂ ୮ଟି ସିଟ୍‌ କଂଗ୍ରେସ ଖାତାକୁ ଯାଇଛି।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସୁରତରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଖାତା ଖୋଲି ପାରିଲା ନାହିଁ କଂଗ୍ରେସ। ମୋଟ ୧୨୦ ସିଟ୍‌ ମଧ୍ୟରୁ ୯୩ ସିଟ୍‌ ବିଜେପି ନିଜର ଦବଦବା ଜାହିର କରିଥିବା ବେଳେ ୨୭ ଟି ସିଟ୍‌ ଆପ୍‌ ଖାତାକୁ ଯାଇଛି। ସେହିଭଳି ଅହମଦାବାଦର ୧୯୨ ସିଟ୍‌ରୁ ୧୪୬ ସିଟ୍‌ରେ ବିଜେପି ପ୍ରାର୍ଥୀ ବିଜୟର ବାନା ଉଡ଼ାଉଥିବା ସମୟରେ କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୩ଟି ସିଟ୍‌ ଏବଂ AIMIM ୭ଟି ସିଟ୍‌ରେ ବିଜୟ ହାସଲ କରି ସନ୍ତୁଷ୍ଟ ହୋଇଛି।

ତେବେ ଦେଶରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ହେଉଥିବା ବେଳେ କଂଗ୍ରେସ ଦିନକୁ ଦିନ ସତା ହରାଇବାରେ ଲାଗିଛି। ବିଜେପି ଗୋଟିଏ ପରେ ଗୋଟିଏ ସ୍ଥାନକୁ କବଜା କରିବାରେ ଲାଗିଛି। କଂଗ୍ରେସର ବିପର୍ଯ୍ୟୟର କାରଣ ଖୋଜୁ ଖୋଜୁ ନିର୍ବାଚନ ପହଂଚିଯାଉଛି ଆଉ କଂଗ୍ରେସକୁ ଚକମା ଦେଇ ବିଜେପି ବିଜୟର ବାନା ଉଡାଉଥିବା ଅନେକ ନେତା କହିବାକୁ ଆରମ୍ଭ କଲେଣି। ତେବେ ଦଳରେ ପାଣ୍ଠି ଅଭାବ ମଧ୍ୟ ହାରିବାର ଏକ ପ୍ରମୁଖ କାରଣ ବୋଲି ନେତାମାନେ ମଧ୍ୟ କହିଛନ୍ତି।

You might also like