ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରା ବେଳେ ଉତ୍ତେଜନା

୬ ଦଫା ଦାବି ନେଇ ରାଲି କରିବାକୁ ଅାସୁଥିବାବେଳେ ପୁଲିସ ସହ ଧସ୍ତାଧସ୍ତି

ନୂଆଦିଲ୍ଲୀ : ବ୍ୟାରିକେଡର ଗୋଟେ ପଟେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ଚାଷୀ ଅାଉ ଅନ୍ୟ ପଟେ ସେମାନଙ୍କୁ ଅଟକାଉଥିଲା ପୁଲିସ। ହେଲେ ଅଣାୟତ୍ତ ହେଲା ସ୍ଥିତି ବ୍ୟାରିକେଡ ଭାଙ୍ଗି ଧସେଇ ପସିବାକୁ ଉଦ୍ୟମ କଲେ ଚାଷୀ । ଅାଉ ତାପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଲୁହ ବୁହା ବାଷ୍ପ ପ୍ରୟୋଗ ସହ ୱାଟର କ୍ୟାନନର ପ୍ରହାର ।

ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରାବେଳେ ଅାଜି ଦେଖାଦେଇଥିଲା ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି। ୬ ଦଫା ଦାବି ନେଇ ଭାରତୀୟ କିଶାନ ୟୁନିୟନ ନେତୃତ୍ୱରେ ଅାଜି ହଜାର ହଜାର ସଂଖ୍ୟାରେ କୃଷକ ଏକାଠି ହୋଇଥିଲେ ରାଜଧାନୀ ଦିଲ୍ଲୀରେ । ଗତ ୨୩ ତାରିଖରୁ ହରିଦ୍ୱାରରୁ ଅାରମ୍ଭ ହୋଇଥିଲା ପଦଯାତ୍ରା । ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟରୁ ସଂସଦ ପର୍ଯ୍ୟନ୍ତ ରାଲି କାର୍ଯ୍ୟକ୍ରମ ଥିଲା। ତେବେ ଅାଜି ସକାଳୁ ଗାଜିଅାବାଦଠାରେ ସେମାନଙ୍କୁ ଅଟକାଇ ଦେଇଥିଲା ପୁଲିସ୍।

ଏପଟେ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଅାରମ୍ଭ ହୋଇଛି ଅାରୋପ ପ୍ରତ୍ୟାରୋପର ରାଜନୀତି।  ଦିଲ୍ଲୀକୁ କାହିଁ ସେମାନଙ୍କୁ ପସିବାକୁ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ସେହିପରି ଅନ୍ୟ ବିରୋଧୀଦଳ ମାନେ କୃଷକଙ୍କ ଏଭଳି ଅବସ୍ଥାପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ଏପଟେ ଅାନ୍ଦୋଳନରତ ଚାଷୀଙ୍କ ଏକ ପ୍ରତିନିଧି ଦଳ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବା ପରେ ସେମାନଙ୍କ ୪ଟି ଦାବି ସରକାର ଗ୍ରହଣ କରିଥିବା ପ୍ରତିଶୃତି ଦେଇଛନ୍ତି। ଫସଲ ବୀମା , କୃଷି ଉପକରଣ ଉପରେ ଜିଏସଟିକୁ ୫ ପ୍ରତିଶତରେ ସୀମିତ ରଖିବା, ଡିଜେଲରେ ଚାଲୁଥିବା ପୁରୁଣା ଟ୍ରାକ୍ଟର ଉପରୁ ଏନଜିଟି କଟକଣା ହଟାଇବା, କୃଷି ଉତ୍ପାଦକୁ କମ୍‌ ମୂଲ୍ୟରେ ବିକ୍ରି ଉପରେ ରୋକ୍‌ ଲଗାଇବା ନେଇ ଅାଇନ ଅାଣିବା ଦାବି ଉପରେ ସରକାର ରାଜି ହୋଇଥିବା ଜଣାପଡିଛି।

ସେପଟେ ଋଣ ଛାଡ ଏବଂ ବିଜୁଳି ଦର ହ୍ରାସ ଦାବି ନେଇ କୌଣସି ନିଷ୍କର୍ଷ ବାହାରିପାରିନଥିବା ଜଣାପଡିଛି।

You might also like