ଶସ୍ତା ହେବ ଟିଭି, କମ୍ପୁଟର୍ ଓ ସିନେମା ଟିକଟ୍

ଜିଏସ୍‌ଟି କାଉନ୍‌ସିଲ୍ ବୈଠକରେ ୨୩ଟି ସାମଗ୍ରୀ ଉପରେ ଟିକସ ହ୍ରାସ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ  : ଏଣିକି ଶସ୍ତା ହେବ ଟେଲିଭିଜନ, କମ୍ପୁଟର, ସିନେମା ଟିକଟ୍ ଓ ତୀର୍ଥଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା। ଗାଡ଼ି ପାଇଁ ଥାର୍ଡ ପାର୍ଟି ଇନ୍ସୁରାନ୍ସରେ ବି  ପଡ଼ିବ କମ୍ ଖର୍ଚ୍ଚ। ଦ୍ରବ୍ୟ ଓ ସେବା କର ବା ଜିଏସଟିକୁ ଆହୁରି ସରଳୀକରଣ କରିବାକୁ ଯାଇ ଆଜି ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ଘୋଷଣା କରିଛନ୍ତି ସରକାର।

ନୂଆଦିଲ୍ଲୀରେ ଅନୁଷ୍ଠିତ ୩୧ତମ ଜିଏସଟି କାଉନସିଲ ବୈଠକରେ ୨୮ ପ୍ରତିଶତ ସ୍ଲାବରେ ଥିବା ୭ ସାମଗ୍ରୀ ଉପରୁ ଟ୍ୟାକ୍ସ କୋହଳ କରାଯାଇ ନିମ୍ନ ସ୍ଳାବ୍‌କୁ ଅଣାଯାଇଛି। ୩୨ ଇଞ୍ଚ୍ ପର୍ଯ୍ୟନ୍ତ ଟେଲିଭିଜନ, କମ୍ପୁଟର୍, ଡିଜିଟାଲ କ୍ୟାମେରା, ଭିଡିଓ ଗେମ୍,  ଛୋଟ କ୍ରୀଡ଼ା ସାମଗ୍ରୀ ଉପରେ ଏଣିକି ୨୮ ବଦଳରେ ୧୮ ପ୍ରତିଶତ ଟାକ୍ସ ଲାଗୁ ହେବ।

ସେହିଭଳି ୧୦୦ ଟଙ୍କାରୁ କମ୍ ସିନେମା ଟିକେଟ ଉପରେ ଟିକସ ୧୮ରୁ ୧୨ ପ୍ରତିଶତ ଓ ୧୦୦ରୁ ଅଧିକ ମୂଲ୍ୟର ଟିକଟ ଉପରେ ଟିକସ ୨୮ରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି। ଗାଡ଼ି ଉପରେ ଥାର୍ଡ ପାର୍ଟି ଇନସୁରାନ୍ସ ପାଇଁ ପୂର୍ବରୁ ୧୮ ପ୍ରତିଶତ ଟାକ୍ସ ଲାଗୁ ହେଉଥିବା ବେଳେ ଏବେ ତାହା ୧୨ ପ୍ରତିଶ୍ରତକୁ କମିଛି।

ସେହିଭଳି ତୀର୍ଥଯାତ୍ରୀଙ୍କ ପାଇଁ ଇକୋନମି ଶ୍ରେଣୀ ବିମାନ ଯାତ୍ରା ପାଇଁ ଟିକସ ୫ ପ୍ରତିଶତକୁ ଖସିଥିବା ବେଳେ ବିଜିନେସ ଶ୍ରେଣୀରେ ଏହା ୧୨ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲଚେୟାର ଉପରେ ଲାଗୁଥିବା ଟିକସ ୨୮ରୁ ୫ ପ୍ରତିଶତକୁ କମିଛି। ୩୩ଟି ସାମଗ୍ରୀ ଉପରେ ପୂର୍ବରୁ ଲାଗୁଥିବା ୧୮ ପ୍ରତିଶତ ଟାକ୍ସ ଏବେ ୧୨ ଓ ୫ ପ୍ରତିଶତ ସ୍ଳାବ୍‌କୁ ଆସିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି।

ଆଜିର ବୈଠକରେ ସିମେଣ୍ଟ ଶିଳ୍ପ ସହ ଜଡ଼ିତ ୮ଟି ଓ ଅଟୋମୋବାଇଲ ଯନ୍ତ୍ରାଂଶ ସମ୍ପର୍କିତ ୧୩ଟି ଆଇଟମ୍ ଉପରେ ଟିକସ ହ୍ରାସ ପ୍ରସ୍ତାବ ଥିଲେ ବି ଏହା ହୋଇପାରିନି। ସେହିଭଳି ରିଏଲ ଇଷ୍ଟେଟ ଉପରେ କେତେ ଜିଏସଟି ଲାଗୁ ହେବ, ତାହା ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନେବା ଲାଗି ସ୍ଥିର ହୋଇଛି। ପୂର୍ବରୁ ୨୮ ପ୍ରତିଶତ ଜିଏସଟି ସ୍ଲାବରେ ୩୪ ସମଗ୍ରୀ ରହିଥିବା ବେଳେ ଏହି ସାମଗ୍ରୀ ସଂଖ୍ୟା ଏବେ ୨୮କୁ ହ୍ରାସ ପାଇଛି। ଏହି ସ୍ଳାବ୍‌ରେ କେବଳ ବିଳାସପୂର୍ଣ୍ଣ ସାମଗ୍ରୀକୁ ହିଁ ସ୍ଥାନୀତ କରାଯାଇଛି।

ଜିଏସଟିରେ ସରଳୀକରଣ ପରେ ଏବେ ପ୍ରାୟ ୧ ହଜାରରୁ ଅଧିକ ସାମଗ୍ରୀ ଉପରେ ଟ୍ୟାକ୍ସ ପରିମାଣ ୧୮ ପ୍ରତିଶତରୁ କମ୍ କରାଯାଇଥିବା ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏହାସହ ଆସନ୍ତା ଏପ୍ରିଲ ୧ ଦେଶରେ ନୂଆ ଜିଏସଟି ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥା ପ୍ରଚଳନ କରିବା ସହ ଜୁଲାଇ ୧ ତାରିଖରୁ ଏହାକୁ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ହୋଇଛି।

 

You might also like