ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ ମହଙ୍ଗା ପଡ଼ିଲା : ଯୁବକଙ୍କୁ ଗିରଫ କଲା ପୋଲିସ୍

କୋଲାର  : ବେଦୀ ସଜା ହୋଇଥିଲା । ବାଜାବାଣରେ ଉଚ୍ଛୁଳି ଉଠୁଥିଲା ଘର ପରିବାର । କରୋନା ନିୟମ ଉଲ୍ଲଂଘନ କରି ଦୁଇ ଦୁଇଟି ଝିଅ ଗୋଟିଏ ଦିନରେ ବିବାହ କରୁଥିଲେ ପରିବାର ଲୋକ । ବେଶ ଖୁସିବାସିରେ ମଣ୍ଡପରେ ଦୁଇ ଭଉଣୀକୁ ବିବାହ କରିଥିଲେ ଜଣେ ଯୁବକ । ତେବେ ବିବାହ ସମୟର ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ନବ ବିବାହିତଙ୍କୁ ମହଙ୍ଗା ପଡ଼ିଛି । ମାମଲା ପୋଲିସ ପାଖରେ ପହଞ୍ଚିଯିବା ପରେ ଗିରଫ ହୋଇଛନ୍ତି ସଦ୍ୟ ବିବାହିତ ଯୁବକ ।

କର୍ଣ୍ଣାଟକର କୋଲାର ଜିଲ୍ଲାର ୩୦ ବର୍ଷିୟ ଯୁବକ ଉମାପତି । ସେ ଲଳିତା ନାମକ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଲଳିତା ସମ୍ପର୍କରେ ତାଙ୍କ ଭାଣିଜି । ଲଳିତା ମଧ୍ୟ ଉମାପତିଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ, କିନ୍ତୁ ତାଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ପୂରଣ କଲେ ହିଁ ବିବାହ କରିବେ ବୋଲି ଅଡ଼ି ବସିଥିଲେ । ବଡ ଭଉଣୀ ସୁପ୍ରିୟା ପିଲାଦିନୁ କହି ପାରୁନଥିଲେ କି ଶୁଣିପାରୁନଥିଲେ । ବଡ଼ ଭଉଣୀକୁ ମଧ୍ୟ ବିବାହ କରିବାକୁ ହେବ ବୋଲି ସର୍ତ୍ତ ରଖିଥିଲେ । ଲଳିତାଙ୍କ ସର୍ତ୍ତରେ ଉମାପତି ରାଜି ହୋଇ ଯାଇଥିଲେ ।

ଉମାପତି ଦୁଇ ଭଉଣୀଙ୍କୁ ବିବାହ ହେବାକୁ ରାଜି ହେବା ପରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଖୁବ ଆନନ୍ଦରେ ପରିବାର ଲୋକ ମେ ୭ରେ ଉମାପତିଙ୍କ ସହ ଦୁଇ ଝିଅଙ୍କର ବିବାହ କରାଇଥିଲେ । ତେବେ ବିବାହ ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ଅକଳରେ ପଡିଛନ୍ତି ଯୁବକ ।

ନବବିବାହିତ ଉମାପତିଙ୍କୁ ଗିରଫ କରିଛି ପୋଲିସ୍ । ବାଳ କଲ୍ୟାଣ ଅଧିକାରୀଙ୍କ ସୂଚନା ଅନୁସାରେ ସାନ ଭଉଣୀ ଲଳିତା ନାବାଳିକା, ତା ବୟସ ମାତ୍ର ୧୭ ବର୍ଷ । ଆଇନ ଅନୁସାରେ ଏହି ବିବାହ ଅବୈଧ । ଉମାପତି ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ କରିଛନ୍ତି । ହିନ୍ଦୁ ବିବାହ ନିୟମ ଅନୁସାରେ ୨ ଜଣ ଯୁବତୀଙ୍କୁ ବିବାହ କରିବା ଅମାନ୍ୟ ।

ଏହାସହ ପୋଲିସ କହିଛି, ଅନୁମତି ନନେଇ ଏହି ବିବାହ କାର୍ଯ୍ୟ ଆୟୋଜିତ ହୋଇଛି । କରୋନା ନିୟମ ଉଲ୍ଲଂଘନ କରି ମାସ୍କ ନିପିନ୍ଧି ଅନେକ ଲୋକ ବିବାହରେ ସାମିଲ ହୋଇଥିଲେ । ଏଥିପାଇଁ ଉଭୟ ପରିବାର ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଛି । ବାଳ ବିବାହ ଆଇନ ୧୯୭୯ ଅନୁଯାୟୀ ଅଭିଯୁକ୍ତଙ୍କୁ ୩ ମାସ ଜେଲ ଦଣ୍ଡ ହୋଇପାରେ। କେବଳ ଏତିକି ନୁହେଁ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାର ସମ୍ଭାବନା ମଧ୍ୟ ରହିଛି।

You might also like