‘ନଗ୍ନତା ଲୋଭରେ ମୁଁ ଦେଶକୁ ଧୋକା ଦେଇଛି’

ଜୟପୁର: ନଗ୍ନତା ଲୋଭରେ ମୁଁ ଦେଶକୁ ଧୋକା ଦେଇଛି। ନାରୀର ନଗ୍ନ ଫଟୋ ଓ ଶାରିରୀକ ଉତ୍ତେଜନାପ୍ରବଣ କଥାରେ ମୁଁ ଦେଶ ସହିତ ଗଦ୍ଦାରୀ କରିଛି। ପାକିସ୍ତାନ ଇଣ୍ଟେଲିଜେନ୍ସ ସର୍ଭିସ୍ ISI ଦ୍ୱାରା ହନିଟ୍ରାପ୍ ଜାଲରେ ପଡ଼ି ଭାରତ ବିଷୟରେ ଅନେକ ଗୋପନୀୟ ତଥ୍ୟ ଦେଇଥିବା ସ୍ୱୀକାର କରିଛି ରାଜସ୍ଥାନରେ ଜଣେ ବ୍ୟକ୍ତି।

ତଦନ୍ତକାରୀ ସଂସ୍ଥା ଏସମ୍ପର୍କରେ ବ୍ୟକ୍ତି ଜଣକୁ ପଚାରିବାରୁ ସବୁ ସତକଥା ମାନିଯାଇଛି। ଏହି ବ୍ୟକ୍ତି ଜଣକ ହେଲେ ଜୈଶାଲମେରର ଲାଠି ଅଞ୍ଚଳବାସୀ ୪୨ ବର୍ଷୀୟ ସତ୍ୟନାରାୟଣ ପାଲିୱାଲ୍। ଦେଶ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ପାକିସ୍ତାନକୁ ଦେବା ଅଭିଯୋଗରେ ଗତସପ୍ତାହରେ ଅଫିସିଆଲ୍‌ ସିକ୍ରେଟ୍ ଆକ୍ଟରେ ତାକୁ ଗିରଫ କରାଯାଇଥିଲା।

ତଦନ୍ତକାରୀ ଅଫିସରଙ୍କ ପଚରାଉଚରାରେ ସତ୍ୟନାରାୟଣ କହିଥିଲା ଯେ ISI ପକ୍ଷରୁ ଏକ ମହିଳା ତା’ ସହିତ କଥା ହେଉଥିଲେ। ଏହି ମହିଳା ଜଣକ ତାକୁ ଅନେକ ସମୟରେ ନଗ୍ନ ଫଟୋ ଶେୟାର କରୁଥିଲେ। ବଦଳରେ ନାରାୟଣ ସୀମାନ୍ତରେ ଭାରତୀୟ ସେନାର ଗତିବିଧି ଏବଂ ପୋଖରାନ୍ ଫାୟାରିଂ ରେଞ୍ଜ ବିଷୟରେ ସୂଚନା ଦେଉଥିଲା।

ଏମିତି ନିୟମିତ ହେବା ଦ୍ୱାରା ନଗ୍ନ ଦେହର ଲୋଭରେ ପଡ଼ିଯାଇଥିଲା ନାରାୟଣ। ଅଧିକ ନଗ୍ନ ଫଟୋ ଏବଂ ବହୁତ ସମୟପର୍ଯ୍ୟନ୍ତ ଶାରିରୀକ ଉତ୍ତେଜନାପ୍ରବଣ ବାର୍ତ୍ତାଳାପ ମହିଳା ଜଣଙ୍କୁ କହୁଥିଲା ବଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ISIକୁ ଦେଉଥିଲା। ଏ କଥା ସେ ନିଜେ ସ୍ୱୀକାର କରିଛି। ଏହା ବ୍ୟତୀତ ଫେକ୍‌ ଆକାଉଣ୍ଟ ଜରିଆରେ ନାରାୟଣ ଏବେ ବି ସେହି ମହିଳାଙ୍କ ସମ୍ପର୍କରେ ରହିବା ସହିତ ସେନାର ସୀମାନ୍ତ ଗତିବିଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଛି ବୋଲି ତଦନ୍ତକାରୀ ଅଫିସରଙ୍କ ଆଗରେ ମାନିଛନ୍ତି।

ଗୋଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ଯେ ନାରାୟଣ ଅନେକ ଦିନ ହେବ ISI ଦ୍ୱାରା ହନିଟ୍ରାପର ଶିକାର ହୋଇଛି। ଗୋଇନ୍ଦା ସଂସ୍ଥା ଆହୁରି ମଧ୍ୟ କହିଛି ଯେ ନାରାୟଣ ଉପରେ ସନ୍ଦେହ ହେବାରୁ ଅନେକ ଦିନ ହେଲା ତା ଉପରେ ନଜର ରଖାଯାଇଥିଲା। ଜୈଶଲାମେର ଗିରଫ ହେବା ପରେ ତା ମୋବାଇଲ୍‌ରେ ସେନା ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ନାରାୟଣର ଗିରଫଦାରୀ ନେଇ ରାଜସ୍ଥାନ ପୋଲିସ କହିଛି “ଜୈଶଲାମେରବାସିନ୍ଦା ସତ୍ୟନାରାୟଣ ପାଲିୱାଲକୁ ଗୁପ୍ତଚର ଅଭିଯୋଗରେ ସିଆଇଡିର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗରିଫ କରିଛି। ପକିସ୍ତାନ ଇଣ୍ଟେଲିଜେନ୍ସ ଏଜେନ୍ସିର ଜଣେ ଏଜେଣ୍ଟଙ୍କ ସହିତ ତାଙ୍କର ସମ୍ପର୍କ ରହିଥିବା ସେ ସ୍ୱୀକାର କରିବା ସହିତ ସେନା ସମ୍ବନ୍ଧୀୟ ସୂଚନା ଦେଉଥିବା ସେ ମାନିଛନ୍ତି।”

ସେପଟେ ଅଭିଯୁକ୍ତ ସତ୍ୟନାରାୟଣ ପାଲିୱାଲକୁ ଜୟପୁରକୁ ଅଣାଯାଇଛି। ରାଜସ୍ଥାନର ଗୁପ୍ତଚର ଏଜେନ୍ସି ସହିତ ସେନା ମଧ୍ୟ ତାକୁ ପଚରାଉଚରା କରୁଛି।  ନାରାୟଣ ଭାଇଙ୍କ ପତ୍ନୀ ଏହି ଅଞ୍ଚଳର ସରପଞ୍ଚ ବୋଲି ପୋଲିସ ସୂଚନା ଦେବା ସହିତ ଏ ଘଟଣାରେ ଅଧିକ ଅନୁସନ୍ଧାନ ଚଳାଇଛି।

You might also like